ଆଜି ଠାରୁ ‘ଡବ୍ଲ୍ୟୁପିଏଲ୍’ର ତୃତୀୟ ସଂସ୍କରଣ ଆରମ୍ଭ
ମହିଳା କ୍ରିକେଟ୍ର ଆଇପିଏଲ୍ ବୋଲାଉଥିବା ‘ଡବ୍ଲ୍ୟୁପିଏଲ୍’ର ତୃତୀୟ ସଂସ୍କରଣ ଶୁକ୍ରବାରଠାରୁ ଆରମ୍ଭ ହେବ। ୫ ଦଳିଆ ପ୍ରତିଯୋଗିତାରେ ମୋଟ ୨୨ ମ୍ୟାଚ୍ ଖେଳାଯିବ। ଚଳିତ ଫେବ୍ରୁଆରି ୧୪ରୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ କ୍ୟାପିଟାଲ୍ସ, ଗୁଜରାଟ ଜାଏଣ୍ଟସ୍, ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଓ ୟୁପି ୱାରିୟର୍ସ ଭଳି ଦଳ ଟାଟା ଡବ୍ଲ୍ୟୁପିଏଲ୍-୨୦୨୫ର ଆକର୍ଷଣୀୟ ଟ୍ରଫି ଏବଂ ମୋଟା ଅଙ୍କର ପୁରସ୍କାର ରାଶି ଲାଗି ଲଢ଼େଇ କରିବେ।
ଶୁକ୍ରବାର ବଡ଼ୋଦରାର କୋଟାମ୍ବି ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ପ୍ରଥମ ମୁକାବିଲାରେ ଗତଥରର ବିଜେତା ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଜାଏଣ୍ଟ୍ସ ମୁହାଁମୁହିଁ ହେବେ। ବେଙ୍ଗାଲୁରୁ ଓ ଲକ୍ଷ୍ନୌ ପର୍ଯ୍ୟାୟ ଯଥାକ୍ରମେ ଫେବ୍ରୁଆରି ୨୧ ଓ ମାର୍ଚ୍ଚ ୩ରୁ ଆରମ୍ଭ ହେବ। ମାର୍ଚ୍ଚ ୧୦ରୁ ମୁମ୍ବାଇରେ ଦୁଇଟି ଲିଗ୍ ମ୍ୟାଚ୍ ଖେଳାଯିବା ସହ ସେଠାକାର ଐତିହାସିକ ୱାଙ୍ଖଡ଼େ ଷ୍ଟାଡିୟମ୍ରେ ହିଁ ଏଲିମିନେଟର, ଫ୍ଲେ ଅଫ୍ ଓ ଫାଇନାଲ୍ ଖେଳାଯିବ। ସବୁ ମ୍ୟାଚ୍ ଭାରତୀୟ ସମୟ ରାତି ୭ଟା ୩୦ରୁ ଆରମ୍ଭ ହେବ। ବଡ଼ୋଦରାରେ ମଧ୍ୟ ଏହି ପ୍ରତିଯୋଗିତାର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ବଲିଉଡ୍ ଅଭିନେତା ଆୟୁଷ୍ମାନ୍ ଖୁରାନାଙ୍କ ସହ ବହୁ ପ୍ରତିଷ୍ଠିତ କଳାକାର ତଥା ଗାୟକ ଅଂଶଗ୍ରହଣ କରିବେ।