ପରୀକ୍ଷା ପେ ଚର୍ଚ୍ଚାରେ ଆଜି ଛାତ୍ରଛାତ୍ରୀଙ୍କୁ ସମ୍ୱୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷାପେ ଚର୍ଚ୍ଚାରେ ଆଜି ଛାତ୍ରଛାତ୍ରୀଙ୍କୁ ସମ୍ୱୋଧିତ କରିବେ । ଦିଲ୍ଲୀର ପ୍ରଗତି ମୈଦାନରେ ଥିବା ଭାରତ ମଣ୍ଡପରେ ଆୟୋଜିତ ହେବ ଏହି କାର୍ଯ୍ୟକ୍ରମ । ଚଳିତ ବର୍ଷ ବୋର୍ଡ ପରୀକ୍ଷାକୁ ନେଇ ପ୍ରତିବର୍ଷ ଭଳି ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେବେ ।

ଦିନ ୧୧ଟାରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ସମ୍ୱୋଧିତ କରିବେ । ଚଳିତ ବର୍ଷ ୫ କୋଟିରୁ ଅଧିକ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ସାମିଲ ହେବେ । ଏଥିରେ ବୋର୍ଡ ପରୀକ୍ଷାକୁ ନେଇ ଚାପ, ଚିନ୍ତା ଓ ପରୀକ୍ଷା ଜନିତ ମାନସିକ ଅବସାଦରୁ କିପରି ବଞ୍ଚିବେ ତାହାର ଉପାୟ ବତାଇବେ ପ୍ରଧାନମନ୍ତ୍ରୀ । ଚଳିତ ବର୍ଷର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ପୂର୍ବ ବର୍ଷର ସମସ୍ତ ରେକର୍ଡକୁ ଭାଙ୍ଗିବ । କାରଣ ଏଥର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକଙ୍କ ସମେତ ଦେଶର ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ବଡ଼ ବଡ଼ ହସ୍ତୀ ସାମିଲ ହେବେ । ପରୀକ୍ଷା ପେ ଚର୍ଚ୍ଚା କାର୍ୟ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ, ବିକ୍ରାନ୍ତ ମୈସୀ, ଭୂମି ପେଡନେକର ଏବଂ ୬ ଥରର ବକ୍ସିଂରେ ବିଶ୍ୱ ବିଜୟୀ ବକ୍ସର ମେରିକମ ସାମିଲ ହେବେ । ଏହାଛଡ଼ା ସଦଗୁର ସମେତ ଅନ୍ୟ ଧର୍ମଗୁରୁ ମଧ୍ୟ ସାମିଲ ହେବେ । ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଡିଡି ନେସନାଲ, ଡିଡି ନ୍ୟୁଜ, ଡିଡି ଇଣ୍ଡିଆ ସମେତ ଘରୋଇ ଟିଭି ଚ୍ୟାନେଲରେ ମଧ୍ୟ ସିଧା ପ୍ରସାରଣ ହେବ ।