ଚା’. ମଣିଷର ସ୍ବାସ୍ଥ୍ୟ ପାଇଁ କେତେ ଠିକ୍? ଏନେଇ କ’ଣ କୁହନ୍ତି ଏକ୍ସପର୍ଟ?

ଚା’.. ଅନେକ ଭାରତୀୟଙ୍କ ସକାଳର ଆରମ୍ଭ । ଶୁଭସକାଳର ସନ୍ଦେଶ ନେଇ ଆସୁଥିବା ଏହି ଚା’ ନ ପିଇଲେ ସକାଳଟା ଯେମିତି ମାନ୍ଦା ମାନ୍ଦା ଲାଗେ । ଖଟିରୁ ଆରମ୍ଭ କରି ବେଡରୁମ୍ ଖଟ ପର୍ଯ୍ୟନ୍ତ ସବୁଠି ଛାପ ଛାଡୁଥିବା ଗରମ ଚା’ର ଚର୍ଚ୍ଚା ଯେତେ କଲେ ବି କମ୍ । କିନ୍ତୁ ବେଳେବେଳେ ଚା’ର ମାତ୍ରା ଜୀବନରେ ଏତେ ଅଧିକ ହୋଇଯାଏ ଯେ ଅଖା ଧୋଉଥିବ ଗୁଣ ଗାଉଥିବ ଭଳି ସମସ୍ୟା ଉପୁଜେ । ଚା’ରେ ଥିବା କେଫିନ୍ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଡାକ୍ତର ମଧ୍ୟ ଉପଦେଶ ଦିଅନ୍ତି । କିନ୍ତୁ ଚା’ଅଭ୍ୟାସରେ ପଡ଼ିଥିବା ଲୋକ ଦୈନିକ ୧୦ ରୁ ୧୫ ଥର ଚା’ ନ ପିଇଲେ ତାଙ୍କ ମନ ଶାନ୍ତି ହୁଏନାହିଁ । ଏହି ଅଭ୍ୟାସ ମଣିଷର ସ୍ବାସ୍ଥ୍ୟ ପାଇଁ କେତେ ଠିକ୍? ଏନେଇ କ’ଣ କୁହନ୍ତି ଏକ୍ସପର୍ଟ? ଆସନ୍ତୁ ଜାଣିବା । ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଆଇସିଏମଆର) ଅନୁସାରେ , ଚା’ଏବଂ କଫି ଉଭୟରେ କେଫିନର ମାତ୍ରା ଥାଏ । ଯାହା ସେଣ୍ଟ୍ରଲ୍ ନର୍ଭସ ସିଷ୍ଟମ୍ କୁ ଷ୍ଟିମୁଲେଟ୍ କରି ଅଭ୍ୟାସରେ ପରିଣତ କରାଇଥାଏ । ୧୫୦ ମିଲି କପ୍ ଚା’ରେ ୩୦ ରୁ ୬୫ ମିଲିଗ୍ରାମ୍ କେଫିନ୍ ଥାଏ ତେଣୁ ବିଶେଷଜ୍ଞ ଦୈନିକ ୨ କପରୁ ଅଧିକ ଚା’ ନ ପିଇବା ପାଇଁ ପରାମର୍ଶ ଦେଇଥାନ୍ତି । ଦିନକୁ ଏକ କପ୍ ଚା’ ପିଇବା ସ୍ବାସ୍ଥ୍ୟ ପ୍ରତି ଅହିତକର ନୁହଁ କିନ୍ତୁ ଚା’ସହ ଯଦି ସ୍ନାକ୍ସ ଖାଉଛନ୍ତି ଏହା ରୋଗ ଜନ୍ମାଇବାର ଏକ ବଡ଼ କାରଣ ହୋଇପାରେ । ଅନେକ ଲୋକ ଚା’ ସହ ବିସ୍କୁଟ୍ , ଟୋଷ୍ଟ୍ ଏବଂ ପକୋଡା ଭଳି ସ୍ନାକ୍ସ ଖାଇଥାନ୍ତି । ଏହି ସ୍ନାକ୍ସରେ ଥିବା କ୍ୟାଲୋରୀ କେଫିନ୍ ସହ ମିଶି ଶରୀରକୁ ଆହୁରି ଖରାପ ହେବା ଦିଗରେ ନେଇଯାନ୍ତି । ନ୍ୟୁଟ୍ରିସନ୍ ଦୀପଶିଖା ଜୈନ୍ କୁହନ୍ତି , ଚା’ ସହ ୪ ରୁ ୫ ଟି ବିସ୍କୁଟ୍ ଖାଇବା ଯାହା ସାରାଦିନର କ୍ୟାଲୋରୀ ବଢାଇବା ତାହା । ଏହି ସ୍ନାକ୍ସରେ ୩୦୦ ରୁ ୪୦୦ କ୍ୟାଲୋରୀ ଥାଏ ଯାହା ବ୍ଲଡ୍ ସୁଗାର ବଢାଇବାର କାମ କରେ । ଡାଏବେଟିସ୍ , ଓଜନ ବୃଦ୍ଧି ଭଳି ସମସ୍ୟାକୁ ଡ଼ାକିଆଣେ ଚା’ ସହ ସ୍ନାକ୍ସ ସେବନ । ଆୟୁର୍ବେଦିକ ବିଶେଷଜ୍ଞ ଡା.ଦିକ୍ସା ଭାବସାର ସାବଲିୟା କେଉଁ ସମୟରେ ଚା’ ପିଇବା ହାନିକାରକ ସେ ବିଷୟରେ ମଧ୍ୟ ସୂଚିତ କରାଇଛନ୍ତି । ସକାଳୁ ସକାଳୁ ଖାଲିପେଟରେ ଚା’ ପିଇବା ଶରୀର ପ୍ରତି ଆଦୌ ଠିକ୍ ନୁହେଁ । ଖାଲିପେଟରେ କେଫିନ୍ ର ସେବନ ଆପଣଙ୍କ ଶରୀରର କୋର୍ଟିସୋଲ୍ ରେ ବାଧା ଉପୁଜାଏ ଏବଂ ଦିନ ଆରମ୍ଭରୁ ହିଁ ସ୍ବାସ୍ଥ୍ୟ ବିଗିଡ଼ିଲା ଭଳି ଲାଗେ । ଭୋଜନ କିମ୍ବା ଜଳଖିଆ ଖାଇବା ସମୟରେ ଚା’ପିଇବା ଆପଣଙ୍କ ପାଚନତନ୍ତ୍ରକୁ ଦୁର୍ବଳ କରିଥାଏ । ଚା’ ଏସିଡିକ୍ ହୋଇଥାଏ ଏବଂ ଏଥିରେ ଟେନିନ୍ ରହିଥାଏ ଯାହା ଭୋଜନ ସରିବାର ସଙ୍ଗେ ସଙ୍ଗେ ସେବନ କଲେ ଆୟରନ୍ ଅବଶୋଷଣରେ ବାଧା ଉପୁଜାଇଥାଏ ।