ଭାଗବତଙ୍କୁ କଳାପତାକା ଦେଖାଇଲା ଛାତ୍ର କଂଗ୍ରେସ
ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍ଏସ୍ଏସ୍) ସରସଂଘଚାଳକ ମୋହନ ଭାଗବତଙ୍କୁ ମଞ୍ଚେଶ୍ୱରଠାରେ ଛାତ୍ର କଂଗ୍ରେସ ପକ୍ଷରୁ କଳାପତାକା ଦେଖାଯାଇ ବିରୋଧ ପ୍ରଦର୍ଶନ କରାଯାଇଛି। ଭାଗବତ ସୂଚନା ଭବନଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବାବେଳେ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଧାନଙ୍କ ନେତୃତ୍ୱରେ କେତେଜଣ କର୍ମୀ ଏଭଳି ବିରୋଧ ପ୍ରଦର୍ଶନ କରିଛନ୍ତି।
କଂଗ୍ରେସ ଛାତ୍ର ନେତା ଉଦିତ୍ କହିଛନ୍ତି, କିଛିଦିନ ତଳେ ଭାଗବତ କହିଥିଲେ ୧୯୪୭ରେ ଦେଶ ସ୍ବାଧୀନ ହୋଇ ନ ଥିଲା ବରଂ ରାମମନ୍ଦିର ପ୍ରତିଷ୍ଠା ପରେ ଦେଶ ସ୍ବାଧୀନ ହେଲା। ସେ ଏପରିି କହି ଦେଶର ସବୁ ସ୍ବାଧୀନତା ସଂଗ୍ରାମୀଙ୍କୁ ଅପମାନିତ କରିଥିଲେ। ତେଣୁ ତାଙ୍କ ମନ୍ତବ୍ୟକୁ ବିରୋଧକରି କଳାପତାକା ଦେଖା ଯାଇଥିବା ଉଦିତ୍ କହିଛନ୍ତି। ଅନ୍ୟପକ୍ଷରେ ମଞ୍ଚେଶ୍ୱର ପୋଲିସ ଘଟଣାସ୍ଥଳରୁ ଉଦିତ୍ଙ୍କ ସମେତ ୮ଜଣଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିଛି। ଏଥିପାଇଁ କଂଗ୍ରେସ କର୍ମୀଙ୍କ ଭିଡ଼ ଲାଗିରହିଥିବାରୁ ଥାନା ପରିସରରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି।