ରଘୁରାଜପୁର ଗାଁ ବୁଲିଲେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ

ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ ଆଜିକାଲି ଓଡ଼ିଶା ଗସ୍ତରେ ଅଛନ୍ତି। ଶନିବାର ସେ ପଟ୍ଟଚିତ୍ର ଗାଁ ଭାବେ ପରିଚିତ ରଘୁରାଜପୁରରେ ପହଞ୍ଚିଛନ୍ତି। ଥର୍ମନ ଗାଁ ବୁଲି ଥିଲେ। ଲୋକଙ୍କ ଘରେ ପଟ୍ଟଚିତ୍ର ଡେମୋ ଦେଖିବା ସହ ଆଲୋଚନା କରିଥିଲେ। ମ୍ୟୁଜିୟମ ସହ ପ୍ରଦର୍ଶନୀ ପଡ଼ିଆରେ ପଟ୍ଟଚିତ୍ର ଦେଖିଛନ୍ତି।
ଏହାପୂର୍ବରୁ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ ଶୁକ୍ରବାର ଭୁବନେଶ୍ୱରସ୍ଥିତ ହସ୍ତଶିଳ୍ପ ସଂଗ୍ରହାଳୟ କଳାଭୂମିରେ ଦୀର୍ଘ ୪ ଘଣ୍ଟା ସମୟ ବିତାଇ ଓଡ଼ିଶାର କଳା, ହସ୍ତତନ୍ତ ଓ ହସ୍ତଶିଳ୍ପର ଉଚ୍ଚ ପ୍ରଶଂସା କରିଛନ୍ତି। ସା ୭ଟା ୩୦ରୁ ୧୧ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ସେ ସେଠାରେ ସମୟ ଅତିବାହିତ କରିଥିଲେ। ଏହି ଅବସରରେ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। କଳାଭୂମିର ବିଭିନ୍ନ ଗ୍ୟାଲେରି ପରିଦର୍ଶନ କରି ରାଷ୍ଟ୍ରପତି ଶନ୍ମୁଗରତ୍ନମ ଓଡ଼ିଶାର କଳା, ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଦେଖିଥିଲେ। ଜଗନ୍ନାଥ ଗ୍ୟାଲେରିରେ ସେ ବେଶ୍‌ କିଛି ସମୟ ବିତାଇ ଓଡ଼ିଶାର ଆଧ୍ୟାତ୍ମିକ ଚେତନା ଓ ପରମ୍ପରାର ମଧ୍ୟ ପ୍ରଶଂସା କରିଥିଲେ। ଏହି ଅବସରରେ ରାଷ୍ଟ୍ରପତିଙ୍କ ପତ୍ନୀ ଏକ ଶାଢ଼ି କିଣି ୟୁପିଆଇ ମାଧ୍ୟମରେ ଟଙ୍କା ଦେଇଥିଲେ।