ପକ୍ଷୀ ଗଣନା ଚାଲିଛି

ରାଜ୍ୟରେ ପକ୍ଷୀଗଣନା ଚାଲିଛି। ଚଳିତବର୍ଷ ଗୋଟିଏ ଦିନରେ ରାଜ୍ୟର ସମସ୍ତ ସ୍ଥାନରେ ପକ୍ଷୀ ଗଣନା କରାଯିବାକୁ ଯୋଜନା ହୋଇଛି। ଗଣନାରେ ସାମିଲ୍‌ ହେବାକୁ ଥିବା ସମସ୍ତ ସଦସ୍ୟଙ୍କ ତାଲିମ ପ୍ରକ୍ରିୟା‌ ଶେଷ ହୋଇଛି।

ଆଜି ଭୋର‌୍‌ରୁ ଗଣନା ଆରମ୍ଭ ହୋଇ ସଂଧ୍ୟା ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାପରେ ଡିଭିଜନ୍‌ ସ୍ତର‌ରୁ ରିପୋର୍ଟ ଆସିବା ପରେ ପକ୍ଷୀଙ୍କ ସଂଖ୍ୟା ଓ ପ୍ରଜାତି ସମ୍ପର୍କରେ ସ୍ପଷ୍ଟ ହେବ ବୋଲି ବନବିଭାଗ କହିଛି।

ପ୍ରତି ୟୁନିଟ୍‌ରେ ପକ୍ଷୀ ବିଶେଷଜ୍ଞ, ପକ୍ଷୀ ପ୍ରେମୀ, ବନବିଭାଗ କର୍ମଚା‌ରୀଙ୍କ ସମେତ ସ୍ବେଚ୍ଛାସେବୀମାନେ ସାମିଲ ହୋଇଛନ୍ତି। ରାଜ୍ୟର ପକ୍ଷୀଙ୍କ ପାଇଁ ଉଦ୍ଦିଷ୍ଟ ପ୍ରମୁଖ ସ୍ଥାନଗୁଡ଼ିକରେ ପକ୍ଷୀ ଗଣନାର ପୁଙ୍ଖାନୁପୁଙ୍ଖ ତଦାରଖ କରିବାକୁ ବନବିଭାଗ ମୁଖ୍ୟାଳୟର ଅଧିକାରୀମାନେ ନିୟୋଜିତ ହୋ‌ଇଛନ୍ତି।

ଗଣନା‌ ପାଇଁ ଜଳାଶୟଗୁଡ଼ିକର ବିଭିନ୍ନ ଅଞ୍ଚଳକୁ ସ୍ବତନ୍ତ୍ର ଭାବେ ଚିହ୍ନଟ କରାଯାଇଛି। ଗଣନା ବେଳେ ଆବଶ୍ୟକ କ୍ୟାମେରା, ବାଇନାକୁଲାର୍‌, ସ୍ପଟିଂ ସ୍କୋପ୍‌ସ ସହିତ ଏହାର ନିର୍ଦ୍ଦେଶାବଳୀ ଭଳି ବିଭିନ୍ନ ଆନୁଷଙ୍ଗିକ ସାମଗ୍ରୀ ପ୍ରଦାନ କରାଯାଇଛି।

ଆସନ୍ତା ୨୦ ତାରିଖରେ ଇରାୱାଡ଼ି ଡଲ୍‌ଫିନ୍‌ ଗଣନା ଅନୁଷ୍ଠିତ ହେବ। ସେଥିପାଇଁ ୧୯ ତାରିଖ ଦିନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ। ବାଲୁଗାଁ ଓ ସାତପଡ଼ାରେ ଦୁଇଟି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ। ୧୮ଟି ଦଳ ଡଲ୍‌ଫିନ୍‌ ଗଣନା କାର୍ଯ୍ୟରେ ସାମିଲ ହେବେ।

ଏହି ଗଣନା ପ୍ରକ୍ରିୟା ରାଜ୍ୟର ପ୍ରମୁଖ ଜଳାଶୟଗୁଡ଼ିକରେ ଅନୁଷ୍ଠିତ ହେବ। ବିଶେଷକରି ଚିଲିକା, ଭିତରକନିକା ଓ ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନାକୁ ଅଧିକ ଗୁରୁତ୍ବ ଦିଆଯାଇଛି। ଗଣନାକୁ ତ୍ବରାନ୍ବିତ କରିବା ପାଇଁ ଚିଲିକାରେ ୨୧ଟି ୟୁନିଟ୍‌ ଗଠନ କରାଯାଇଥିବା ବେଳେ ଭିତରକନିକା ଓ ହୀରାକୁଦରେ ୧୮ଟି ଲେଖାଏଁ ୟୁନିଟ୍‌ ଗଠନ ହୋଇଛି।