ଆଜି ପାଳିତ ହେଉଛି ଜାତୀୟ ଷ୍ଟାର୍ଟଅପ୍ ଦିବସ
ଷ୍ଟାର୍ଟଅପ୍ ଜରିଆରେ ନୂଆ ଉଦ୍ୟୋଗୀ ସୃଷ୍ଟି କରିବାରେ ଓଡ଼ିଶା ଯଥେଷ୍ଟ ଉନ୍ନତି ହାସଲ କରିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୦୫୦ରୁ ଅଧିକ ଷ୍ଟାର୍ଟଅପ୍ ଗଠନ ହୋଇଛି। ସବୁଠୁ ଉତ୍ସାହଜନକ ବିଷୟ ହେଉଛି ୧୩୨୪ଟି ଷ୍ଟାର୍ଟଅପ୍ ମହିଳାଙ୍କ ନେତୃତ୍ବରେ ପରିଚାଳିତ ହେଉଛି। ପାଞ୍ଚ ବର୍ଷରେ ୫୦୦୦ ଷ୍ଟାର୍ଟଅପ୍ ଗଠନ କରିବା ଲାଗି ସରକାର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ସେହିଦିଗରେ ରାଜ୍ୟ ଦ୍ରୁତ ଗତିରେ ଅଗ୍ରସର ହେଉଛି। କେବଳ ୨୦୨୪ରେ ରାଜ୍ୟରେ ୫୮୭ଟି ନୂଆ ଷ୍ଟାର୍ଟଅପ୍ ଗଠନ କରାଯାଇଛି। ରାଜ୍ୟରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୨୦ଟି ଷ୍ଟାର୍ଟଅପ୍କୁ ସିଡ୍ ପାଣ୍ଠି ଦିଆଯାଇଛି ଯାହା ଜରିଆରେ ସେମାନେ ନିଜ ଚିନ୍ତାଧାରାକୁ ଅଭିନବ ସମାଧାନରେ ପରିଣତ କରିପାରିଛନ୍ତି। ୨୧ଟି ଷ୍ଟାର୍ଟଅପ୍କୁ ଭେଞ୍ଚର ପାଣ୍ଠି ମିଳିଛି। ରାଜ୍ୟରେ ୫ ଲକ୍ଷ ବର୍ଗଫୁଟର ଇନ୍କୁବେସନ୍ ସ୍ଥାନ ରହିଥିବା ବେଳେ ୫୦ ଷ୍ଟାର୍ଟଅପ୍କୁ କ୍ରୟ ବରାଦ ମିଳିଛି।
ଷ୍ଟାର୍ଟଅପ୍ ଓଡ଼ିଶାର ସିଇଓ କମଲଜିତ୍ ଦାସ କହିଛନ୍ତି ଯେ ଚଳିତ ମାସ ୨୮ ଓ ୨୯ରେ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୨୫ରେ ୪୦ଟି ଷ୍ଟାର୍ଟଅପ୍କୁ ଉତ୍ପାଦ ପ୍ରଦର୍ଶନ କରିବା ସୁଯୋଗ ମିଳିବ। ଷ୍ଟାର୍ଟଅପ୍କୁ ନେଇ ପ୍ଲେନାରି ଓ କ୍ଷେତ୍ରଭିତ୍ତିକ ଅଧିବେଶନ ଆୟୋଜନ କରାଯିବ ଯେଉଁଥିରେ ୧୦୦୦ ପାଖାପାଖି ଉଦ୍ୟୋଗୀ, ନିବେଶକ ଆଦି ଅଂଶଗ୍ରହଣ କରିବେ। କନ୍କ୍ଲେଭ୍କୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ଶିକ୍ଷାନୁଷ୍ଠାନଗୁଡ଼ିକରେ ୨୦ଟି କାର୍ଯ୍ୟକ୍ରମ ଆୟୋଜନ କରିବା ଯୋଜନା ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୫ଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ବୋଲି ସେ କହିଛନ୍ତି।