ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ପ୍ରଥମ ବର୍ଷ ପୂର୍ତ୍ତି ପାଳିତ

ଅଯୋଧ୍ୟାର ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ଏକବର୍ଷ ପୂରଣ ହୋଇଛି । ଏହି ଅବସରରେ ଆଯୋଧ୍ୟାରେ ଭବ୍ୟ ଆୟୋଜନ କରାଯାଇଛି । ତିନିଦିନ ପର୍ଯ୍ୟନ୍ତ ସାଂସ୍କୃତିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ ଅୟୋଜିତ କରାଯିବ । ରାମମନ୍ଦିରକୁ ୫୦ କ୍ୱିଣ୍ଟାଲ ପୁଷ୍ପରେ ସଜା ଯାଇଛି । ପ୍ରଥମ ବାର୍ଷିକୀ ଆଜି ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ରେ ୨୨ ଜାନୁଆରୀ ୨୦୨୪ରେ ଅଯୋଧ୍ୟାରେ ନବନିର୍ମିତ ରାମମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା ।

ସୂଚନା ମୁତାବକ, ଆଜି ଅଯୋଧ୍ୟାର ରାମଲଲାଙ୍କ ମନ୍ଦିରରେ ସିଏମ ଯୋଗୀ ପହଞ୍ଚିବେ । ୧୨ଟା ୨୦ ମିନିଟରେ ରାମଲଲାଙ୍କ ମହାଆରତୀ ହେବ । ଆଜିର କାର୍ଯ୍ୟକ୍ରମରେ ୧୧୦ ଭିଆଇପି ଅତିଥି ଅଯୋଧ୍ୟାକୁ ଆସୁଛନ୍ତି । ଏନେଇ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାର ପ୍ରଥମ ବାର୍ଷିକୀରେ ୩ ଦିବସୀୟ ସମାରୋହ ରାମଜନ୍ମଭୂମିରେ ଆୟୋଜନ କରାଯାଇଛି । ରାମ ମନ୍ଦିର ପରିସରରେ ଭିନ୍ନ-ଭିନ୍ନ ଫୁଲରେ ସଜାଯାଇଛି । ଏହି କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ୨ ହଜାର ସନ୍ଥ ଅଯୋଧ୍ୟାରେ ପହଞ୍ଚିବେ । ଆଜି ସକାଳ ୧୦ଟାରେ ରାମଲଲାଙ୍କ ଅଭିଷେକ ଏବଂ ପୂଜାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ରାମଲଲାଙ୍କ ପାଇଁ ୫୬ ପ୍ରକାର ଭୋଗ ପ୍ରସ୍ତୁତ କରାଯାଇଛି । ଯାହାକୁ ପ୍ରସାଦ ଭାବେ ଶ୍ରଦ୍ଧାଳୁଙ୍କ ବଣ୍ଟନ କରାଯିବ । ଭକ୍ତଙ୍କ ଦର୍ଶନ କରିବା ପାଇଁ ସଂପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି । ରାମଲଲାଙ୍କ ବିଶେଷ ଅଭିଷେକ ପାଇଁ ଆୟୋଜନ କରାଯାଇଛି ବୋଲି ମନ୍ଦିର ମୁଖ୍ୟ ପୂଜାରୀ ସତ୍ୟେନ୍ଦ୍ର ଦାସ କହିଛନ୍ତି । ରାମଲଲାଙ୍କୁ ସ୍ନାନ କରାଯିବ ଏବଂ ଇତ୍ର ଲେପନ କରାଯିବ । ରାମଲଲାଙ୍କୁ ସଂପୂର୍ଣ୍ଣ ଭାବେ ସଜାଯିବ । ପ୍ରାଣ ପ୍ରତିଷ୍ଠା ଭଳି ଆଜି ମଧ୍ୟ ରାମଲଲାଙ୍କୁ ସଜାଯିବ । ମନ୍ଦିର ଟ୍ରଷ୍ଟ ଅନୁସାରେ, ପୁରା ଦିନରେ ଅନେକ ଧାର୍ମିକ ଅନୁଷ୍ଠାନ ସହିତ ରାମକଥା ଏବଂ ରାମଲୀଳା ପ୍ରଦର୍ଶନ ହେବ ।