ସରକାରଙ୍କୁ ୨୦୦ ଦିନ ପୂରିଲା, ସ୍ୱପ୍ନ ହୋଇଗଲା ଭତ୍ତା ଟଙ୍କା
୨୦୨୪ ବର୍ଷ ସରିବାକୁ ଆଉ ଦୁଇଦିନ ବାକି। ସରକାରଙ୍କୁ ୨୦୦ ଦିନ ପୂରିଲା। ମାତ୍ର ନିର୍ବାଚନ ପୂର୍ବରୁ ବିଜେପି ଘୋଷଣା ପତ୍ରରେ ସ୍ଥାନୀତ ୩୦୦୦ ଟଙ୍କା ଭତ୍ତା ହିତାଧିକାରୀଙ୍କ ପାଇଁ ସ୍ୱପ୍ନ ହୋଇଗଲା। ୮୦ ବର୍ଷରୁ ଊର୍ଦ୍ଧ୍ବ ଓ ୮୦%ରୁ ଊର୍ଦ୍ଧ୍ବ ଅକ୍ଷମଙ୍କୁ ଯେଉଁ ୩୫୦୦ ଟଙ୍କା ଦିଆଯିବା ପାଇଁ ବଜେଟରେ ବ୍ୟବସ୍ଥା ହେଲା ତାହା ଏଯାଏ ମିଳିଲା ନାହିଁ। ବିଡ଼ମ୍ବନା ହେଉଛି; ପୂର୍ବରୁ ନବୀନ ସରକାର ସମୟରେ ଯେଉଁ ୧୦୦୦ ଟଙ୍କା ଭତ୍ତା ମିଳୁଥିଲା ତାହା ବି ବିଳମ୍ବିତ ହୋଇ ଚାଲିଛି। ପୂର୍ବରୁ ହିତାଧିକାରୀଙ୍କୁ ୧୬ ତାରିଖ ମଧ୍ୟରେ ଭତ୍ତା ରାଶି ପ୍ରଦାନ କରାଯାଉଥିବା ବେଳେ ଏବେ ୨୭ ତାରିଖ ପର୍ଯ୍ୟନ୍ତ ତାହା ମିଳି ନ ଥିବା ଅଭିଯୋଗ ହୋଇଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ଜୁଲାଇ ମାସରେ ଆଗତ ପୂର୍ଣ୍ଣାଙ୍ଗ ବଜେଟରେ ୮୦ ବର୍ଷ ବା ତଦୁର୍ଦ୍ଧ୍ବ ଏବଂ ୮୦ ପ୍ରତିଶତରୁ ଊର୍ଦ୍ଧ୍ବ ଭିନ୍ନକ୍ଷମ ମାସିକ ଭତ୍ତା ରାଶି ୩୫୦୦ ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ମୋଟ ୩୭୦୦୭୭ ଜଣ ୮୦ ବର୍ଷ ବା ତଦୁର୍ଦ୍ଧ୍ବ ବୟସ୍କ ଭତ୍ତା ହିତାଧିକାରୀ ଏହାଦ୍ୱାରା ଉପକୃତ ହୋଇଥାନ୍ତେ। ମାତ୍ର ୨୦୨୪ ସରିବାକୁ ବସିଥିଲେ ହେଁ ଏଯାବତ୍ ବର୍ଦ୍ଧିତ ଭତ୍ତା ରାଶି ପ୍ରଦାନ କରାଗଲା ନାହିଁ। ଘୋଷଣାକୁ କାର୍ଯ୍ୟକାରୀ କରିବାରେ କାହିଁକି ବିଳମ୍ବ ହେଉଛି, ସେ ସମ୍ପର୍କରେ ସରକାରଙ୍କ ପାଖରେ ଉତ୍ତର ନାହିଁ। ପ୍ରତି ମାସରେ ସେମାନଙ୍କୁ ବର୍ଦ୍ଧିତ ଭତ୍ତା ରାଶି ପାଇଁ ଅଶୀତିପର ହିତାଧିକାରୀ ଚାହିଁ ବସିଥିବାବେଳେ ଏ ପର୍ଯ୍ୟନ୍ତ ସେମାନଙ୍କୁ ତାହା ମିଳିପାରି ନାହିଁ ।