ଗ୍ରାମାଞ୍ଚଳରେ ବ୍ୟକ୍ତି ପିଛା ମାସକୁ ହାରାହାରି ୩୩୫୭ ଟଙ୍କା ଖର୍ଚ୍ଚ

ଓଡ଼ିଶାର ସହରାଞ୍ଚଳରେ ଜୀବନଯାପନ କରିବା ଲାଗି ଅଧିକ ଟଙ୍କା ଆବଶ୍ୟକ। ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକମାନେ ମାସକୁ ଯେତିକି ଟଙ୍କା ଖର୍ଚ୍ଚ କରୁଛନ୍ତି, ସହରାଞ୍ଚଳ ଲୋକମାନେ ତା’ଠାରୁ ୭୩ ପ୍ରତିଶତ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ରାଜ୍ୟର ଗ୍ରାମାଞ୍ଚଳରେ ବ୍ୟକ୍ତି ପିଛା ମାସକୁ ହାରାହାରି ୩୩୫୭ ଟଙ୍କା ଖର୍ଚ୍ଚ ହେଉଛି। ଭାରତ ସରକାର ଜାରି କରିଥିବା ପରିବାର ଉପଯୋଗ ବ୍ୟୟ ସର୍ବେକ୍ଷଣ ରିପୋର୍ଟରୁ ଏହା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ସହରାଞ୍ଚଳରେ ମୁଣ୍ଡପିଛା ବ୍ୟୟ ୫୮୨୫ ଟଙ୍କା ରହିଛି। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବ୍ୟୟରେ ଓଡ଼ିଶା ଜାତୀୟ ହାରଠାରୁ ବହୁ ପଛରେ ରହିଛି। ଗ୍ରାମାଞ୍ଚଳ ମୁଣ୍ଡପିଛା ବ୍ୟୟ ଜାତୀୟ ହାର ୪୧୨୨ ଟଙ୍କା ତୁଳନାରେ ୭୬୫ ଟଙ୍କା କମ୍ ରହିଛି। ସେହିପରି ଦେଶର ସହରାଞ୍ଚଳରେ ମୁଣ୍ଡପିଛା ମାସିକ ବ୍ୟୟ ୬୯୯୬ ଟଙ୍କା ଥିବା ବେଳେ ରାଜ୍ୟର ସହରାଞ୍ଚଳରେ ତାହା ୫୮୨୫ ଟଙ୍କା ରହିଛି। ଅର୍ଥାତ୍‌ ଜାତୀୟ ହାର ତୁଳନାରେ ଓଡ଼ିଶା ୧୧୭୧ ଟଙ୍କା ପଛୁଆ ରହିଛି। ଏହି ହିସାବରେ ସରକାରଙ୍କ କଲ୍ୟାଣମୂଳକ ଯୋଜନାରେ ମାଗଣାରେ ଦିଆଯାଉଥିବା ଜିନିଷଗୁଡ଼ିକୁ ବିଚାରକୁ ନିଆଯାଇନାହିଁ। ଲୋକମାନେ ନିଜ ପକେଟ୍‌ରୁ ବିଭିନ୍ନ ସାମଗ୍ରୀ ଓ ସେବା ପାଇବା ଲାଗି କରୁଥିବା ଖର୍ଚ୍ଚ ଆଧାରରେ ଏହି ହିସାବ କରାଯାଇଛି।

ରିପୋର୍ଟକୁ ଅନୁଶୀଳନ କରିବା ପରେ ଜଣାପଡ଼ିଛି ଯେ ଓଡ଼ିଶାରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ମୁଣ୍ଡପିଛା ବ୍ୟୟ ଭିତରେ ଏକ ବଡ଼ ଅନ୍ତର ରହିଛି। ଗାଁ ତୁଳନାରେ ସହରରେ ବାସ କରୁଥିବା ବ୍ୟକ୍ତି ମାସକୁ ୨୪୬୮ ଟଙ୍କା ଅଧିକ ବ୍ୟୟ କରୁଛନ୍ତି। ଏଥିରୁ ଏହା ଜଣାପଡ଼ିଛି ଯେ ଗାଁ ତୁଳନାରେ ସହରାଞ୍ଚଳରେ ଜୀବନଯାପନ କରିବା ଅଧିକ ବ୍ୟୟସାପେକ୍ଷ। ତେବେ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ସରକାର ଦେଉଥିବା ଲାଭ ବିଚାରକୁ ନେବା ପରେ ଓଡ଼ିଶାରେ ଗ୍ରାମାଞ୍ଚଳରେ ମୁଣ୍ଡପିଛା ବ୍ୟୟ ୩୫୦୯ ଟଙ୍କା ଓ ସହରାଞ୍ଚଳରେ ୫୯୨୫ ଟଙ୍କା ହେଉଛି। ସର୍ବଭାରତୀୟ ସ୍ତ‌ରରେ ରାଜ୍ୟଗୁଡ଼ିକ ମଧ୍ୟରେ ସିକିମ୍‌ରେ ମୁଣ୍ଡପିଛା ବ୍ୟୟ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସର୍ବାଧିକ ଯଥାକ୍ରମେ ୯୩୭୭ ଟଙ୍କା ଓ ୧୩,୯୨୭ ଟଙ୍କା ରହିଛି। ସେହିପରି ଛତିଶଗଡ଼‌ରେ ତାହା ସର୍ବନିମ୍ନ ରହିଛି। ଛତିଶଗଡ଼ରେ ଗ୍ରାମାଞ୍ଚଳ ମୁଣ୍ଡପିଛା ବ୍ୟୟ ୨୭୩୯ ଟଙ୍କା ଥିବା ବେଳେ ସହରାଞ୍ଚଳରେ ୪୯୨୭ ଟଙ୍କା ରହିଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମୁଣ୍ଡପିଛା ବ୍ୟୟ ମଧ୍ୟରେ ଅନ୍ତର ଓଡ଼ିଶାରେ ୭୩.୫୧ ପ୍ରତିଶତ ରହିଛି।