ଆସିଛି ପିକନିକ୍ ସମୟ, ମନମହୁଛି ଖାଣ୍ଡିଆ ଜଳପ୍ରପାତ

ଆସିଛି ପିକନିକ୍ ସମୟ। ଜମୁଛି ବଣଭୋଜିର ମଜା। ପରିବାର ଓ ସାଙ୍ଗସାଥୀ ମେଳରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ। ମୟୂରଭଂଜ ଜିଲ୍ଲା  ରାଇରଙ୍ଗପୁର ସହରରୁ ୫୦କିମି  ଓ ସଦର ମହକୁମା ବାରିପଦାଠାରୁ ୬୦କିମି ଦୂରରେ ଅବସ୍ଥିତ ଖଣ୍ଡିଆ ଜଳପ୍ରପାତ। ରାତି ପାହିଲେ ଝରଣା ପାର୍ଶ୍ବବର୍ତ୍ତୀ ଖାଲି ସ୍ଥାନରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼। ସମସ୍ତେ ପରିବାର ଓ ସାଙ୍ଗସାଥୀଙ୍କ ସହ ଉପଭୋଗ କରୁଛନ୍ତି ପ୍ରାକୃତିକ ସୌନ୍ଦର୍ଯ୍ୟର ମନୋରମ ଦୃଶ୍ୟ।ପିକନିକ୍ ଋତୁ ଆସିଲେ ବଣଭୋଜି ସକାସେ ମୟୂରଭଂଜ ଜିଲ୍ଲାକୁ ପ୍ରଥମ ପସନ୍ଦ ଭାବେ ନିଅନ୍ତି ପର୍ଯ୍ୟଟକ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ମୟୂରଭଂଜ ଜିଲ୍ଲାରେ ପର୍ଯ୍ୟଟକଙ୍କ ପାଇଁ ଆମୋଦ ପ୍ରମୋଦର ଅନେକ ମନରମ ସ୍ଥାନ ମଧ୍ୟରୁ ଖଣ୍ଡିଆ ଜଳପ୍ରପାତ ଅନ୍ୟତମ। ଜଳପ୍ରପାତର ଚର୍ତୁପାର୍ଶ୍ବରେ ସବୁଜିମା ଓ ସୁ-ଉଚ୍ଚ ପର୍ବତମାଳାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ
କରିଥାଏ। ସତେ ଯେପରି ସୁନ୍ଦର ପ୍ରାକୃତିକ ପରିବେଶକୁ କ୍ଷଣିକ ଉପଭୋଗ କରିବା ପାଇଁ ପର୍ଯ୍ୟଟକଙ୍କୁ ବାଧ୍ୟ କରୁଛି। ସହରବାସୀ, ଜିଲ୍ଲାବାସୀଙ୍କ ସହ ପଡୋଶୀ ଝାଡଖଣ୍ଡ, ପଶ୍ଚିମବଙ୍ଗ ତଥା ଅନ୍ୟ ପାର୍ଶ୍ୟସ୍ଥ ଅଂଚଳର ପର୍ଯ୍ୟଟକଙ୍କ ଭିଡ଼ ଏଠାରେ ଦେଖିବାକୁ ମିଳେ। ବର୍ଷ ତମାମ ଲୋକଙ୍କ ଭିଡ ଲାଗି ରହିଥିବା ବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ବାଦ ପଡିନଥାନ୍ତି।ଏହି ଜଳପ୍ରପାତ ପାର୍ଶ୍ବରେ ପୂଜା ପାଆନ୍ତି ଖଣ୍ଡିଆ ଠାକୁର। ପୂଜା ପାଇଁ ମଧ୍ୟ ବର୍ଷ ତମାମ୍ ଦେଖିବାକୁ ମିଳେ ଭକ୍ତଙ୍କ ଭିଡ଼। ଖାଣ୍ଡିଆ ଠାକୁରଙ୍କୁ ପୂଜା କଲେ ପରିବାରର ସୁଖଶାନ୍ତି ଓ ମନସ୍କାମନା ମଧ୍ୟ ପୂର୍ଣ ହୁଏ ବୋଲି ବିଶ୍ୱାସ ରହିଛି। ତେବେ ଖଣ୍ଡିଆ ଠାକୁରଙ୍କ ନିକଟରେ ମାନସିକ କଲେ ମଧ୍ୟ ତାହା ପୁରଣ ହୋଇଥାଏ ବୋଲି ବିଶ୍ୱାସ। ଜଳପ୍ରପାତର ସ୍ଥଳ ଭାଗରେ ପର୍ଯଟକଙ୍କ ପାଇଁ ରହିଛି ଖାଣ୍ଡିଆ ପାର୍କ। ପାର୍କରେ ବିଭିନ୍ନ ପ୍ରକାରର ଭଳିକି ଭଳି ଫୁଲ ବଗିଚାରେ ବୁଲିବା ସାଙ୍ଗକୁ ସେଲ୍‌ଫି ଉଠାଇବାର ମଜା ନେଉଛନ୍ତି ପର୍ଯ୍ୟଟକ।ପରିବେଶକୁ ସ୍ୱଛ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଡଷ୍ଟବିନ୍ ଏବଂ ଶୋଚାଳୟ ମଧ୍ୟ ବ୍ୟବସ୍ଥା କରାଯାଇଛି। କିନ୍ତୁ ଜଳପ୍ରପାତକୁ ଯିବା ପାଇଁ ରାସ୍ତାର ଉନ୍ନତୀକରଣ କରାଯାଇନଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। କମିଟି ପକ୍ଷରୁ ପାର୍କ ଓ ଜଳ ପ୍ରପାତର ରକ୍ଷଣାବେକ୍ଷଣ କରାଯାଉଥିବା ବେଳେ ସରକାରଙ୍କ ପକ୍ଷରୁ ପର୍ଯ୍ୟଟନସ୍ଥଳିର ବିକାଶ ନେଇ ଧ୍ୟାନ ଦେଲେ ଅଂଚଳର ବିକାଶ ସହ ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାରର ପନ୍ଥା ବାହାରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।