ଜାନୁଆରୀରେ ଦୁଇଥର ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ

୨୦୨୫ର ପ୍ରଥମ ମାସରେ ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି ଦୁଇ ଦୁଇଟି ବଡ଼ କାର୍ଯକ୍ରମ। ଜାନୁଆରୀ ୮ରୁ ୧୦ ତିନିଦିନ ଧରି ଭୁବନେଶ୍ବରରେ ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସ। ଓଡ଼ିଶାରେ ପ୍ରଥମ ଥର ପାଇଁ ଏ ଧରଣର କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଥିବା ବେଳେ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ହେବେ ସାମିଲ। ଏହି କାର୍ଯ୍ୟକ୍ରମରେ ପୃଥିବୀର ବିଭିନ୍ନ ଦେଶରେ ରହୁଥିବା ପ୍ରତିଷ୍ଠିତ ପ୍ରବାସୀ ଭାରତୀୟ ହେବେ ସାମିଲ। ସେଥିପାଇଁ ରାଜଧାନୀରେ ଚାଲିଛି ଜୋରଦାର ପ୍ରସ୍ତୁତି। ବ୍ୟବସ୍ଥିତ ଟ୍ରାଫିକ୍ ସାଙ୍ଗକୁ ସୌନ୍ଦର୍ଯ୍ୟ କରଣ, ସ୍ବଚ୍ଛତା ଓ ଗମନାଗମନକୁ ଦିଆଯାଉଛି ଗୁରୁତ୍ଵ। ରାସ୍ତାଘାଟ ମରାମତି ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି। ଖୋଦ୍ ମୁଖ୍ୟମନ୍ତ୍ରୀ ନିରନ୍ତର ବ୍ୟବଧାନରେ ପ୍ରସ୍ତୁତି କାମର ସମୀକ୍ଷା କରୁଛନ୍ତି।

ସେହି ଜାନୁଆରୀରେ ପୁଣିଥରେ ରହିଛି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ। ଜାନୁଆରୀ ୨୮ ଓ ୨୯ ଦୁଇ ଦିନ ଧରି ଆୟୋଜିତ ହେବ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫। ଏଥିରେ ବି ସାମିଲ ହେବେ ପ୍ରଧାନମନ୍ତ୍ରୀ। ସୋମବାର ଏହି ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।