ଲୋକସଭାରେ ଆଗତ ପରେ ଜେପିସିକୁ ଗଲା ଏକକ ନିର୍ବାଚନ ବିଲ
ସଂସଦରେ ଆଗତ ପରେ ଯୁଗ୍ମ ସଂସଦୀୟ କମିଟି ବା ଜେପିସିକୁ ଯାଇଛି ଏକକ ନିର୍ବାଚନ ବିଲ। ବିଲ୍ ସପକ୍ଷରେ ୨୬୯ ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ପଡ଼ିଛି ୧୯୮ ଭୋଟ। ଆଇନ୍ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସମ୍ବିଧାନ ସଂଶୋଧନ ବିଲ ଲୋକସଭାରେ ଆଗତ କରିଛନ୍ତି। ବିଲ ଆଗତ ପରେ ଏହାକୁ ଜେପିସିକୁ ପଠାଇ ଦିଆଯାଇଛି। ଜେପିସିରେ ବିଲ ଉପରେ ବିସ୍ତୃତ ଆଲୋଚନା ହେବ। ତେବେ ଏକକ ନିର୍ବାଚନ ବିଲକୁ ଅସାମ୍ବିଧାନିକ କହି ବିରୋଧ କରିଛନ୍ତି ବିରୋଧୀ।ତେବେ ବିଲ ପାଇଁ ଲୋକସଭାରେ ଭୋଟିଂ ଆରମ୍ଭ ହୋଇଥିଲା। ପ୍ରଥମଥର ଲୋକସଭାରେ ଇଭିଏମ୍ ଦ୍ବାରା ଭୋଟିଂ ହୋଇଥିଲା। ଏଥିରେ ବିଲ ସପକ୍ଷରେ ୨୨୦ ଏବଂ ବିପକ୍ଷରେ ୧୪୯ ଭୋଟ୍ ପଡ଼ିଥିଲା। ମୋଟ ୩୬୯ ସଦସ୍ୟ ମତଦାନ କରିଥିଲେ। ଏହା ପରେ ବିରୋଧୀ ଆପତ୍ତି ଉଠାଇଥିଲେ। ବିରୋଧୀଙ୍କ ଆପତ୍ତି ପରେ ଗୃହମନ୍ତ୍ରୀ ଅମିତ ଶାହା ଚିଟ୍ ଦ୍ବାରା ଭୋଟିଂ ପାଇଁ ନିବେଦନ କରିଥିଲେ। ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ସ୍ପଷ୍ଟ ଭାବରେ ଚିଟ୍ ମାଧ୍ୟମରେ ଭୋଟ୍ ଦେବାକୁ ଅପିଲ କରିଥିଲେ। ଏହାପରେ ବିଲ୍ ସପକ୍ଷରେ ୨୬୯ ଓ ବିପକ୍ଷରେ ୧୯୮ ଭୋଟ୍ ପଡିଥିଲା। ଗତ ସପ୍ତାହରେ ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ବିଲକୁ କ୍ୟାବିନେଟର ମଞ୍ଜୁରୀ ମିଳିଥିଲା। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସୁପାରିସକୁ ଗ୍ରହଣ କରିଥିଲେ ସରକାର। ତେବେ ସରକାରଙ୍କ ତର୍କ ହେଲା, ଏହାଦ୍ବାରା ସମୟ ବଞ୍ଚିବ ଓ ବିକାଶ ଅଧିକ ହେବ।