ରାଜ୍ୟସଭା ପାଇଁ ଅଙ୍କ କଷୁଛି ବିଜେପି
ବିଜେଡିର କେଉଁ ରାଜ୍ୟସଭା ସାଂସଦ ବିଜେପିକୁ ଡେଇଁବେ । ମମତା ଓ ସୁଜିତଙ୍କ ପରେ ଏହାକୁ ନେଇ ବିଭିନ୍ନ ଗୁଜବ ଚାଲିଥିବା ବେଳେ ଆଜି ବିଜେପି ବିଧାୟକଙ୍କ ବୟାନ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଜଣେ ବରିଷ୍ଠ ଓ ଯୁବ ସାଂସଦ ବିଜେପି ମିଶିବେ ବୋଲି କହିଛନ୍ତି । ବିଜେଡି କିନ୍ତୁ ଏହାକୁ ଖଣ୍ଡନ କରିଛି । ଏହି ଦୁଇ ରାଜ୍ୟସଭା ସାଂସଦଙ୍କ ପରେ ଆଉ କିଏ ବିଜେଡି ଛାଡିବ, ସେନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ଏହାରି ଭିତରେ ବିଜେପି ନେତାଙ୍କ ବୟାନ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି । ବିଜେପି ବିଧାୟକ ଅଶୋକ ମହାନ୍ତି ଓ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କ ବଡ଼ ବୟାନ ପୁଣି ରାଜ୍ୟସଭା ଅଙ୍କକୁ ଗୋଳମାଳ କରିପାରେ । ଅଶୋକ ମହାନ୍ତି କହିଛନ୍ତି, ବିଜେଡିର ଆଉ ୨ ରାଜ୍ୟସଭା ସାଂସଦ ବିଜେପିରେ ମିଶିବେ । ଖୁବଶୀଘ୍ର ରାଜ୍ୟସଭାରେ ଶୂନ ହୋଇଯିବ ବିଜେଡି । ଆଉ ପାଦେ ଆଗକୁ ଯାଇ ଜୟନାରାୟଣ ମିଶ୍ର କହିଛନ୍ତି, ବିଜେଡି ଭାଙ୍ଗିଯିବ । ସମସ୍ତେ ବିଜେପି ଚାଲିଆସିଲେ ନବୀନ ପଟ୍ଟନାୟକ ମଧ୍ୟ ବିଜେପିକୁ ଆସିବେ ।
ବିଜେଡିର କିଏ ସେହି ଦୁଇ ରାଜ୍ୟସଭା ସାଂସଦ ? ବାସ୍ତବରେ ସେଭଳି କିଛି ଘଟିବାକୁ ଯାଉଛି ନା ନେତା ଖାଲି ବୟାନବାଜି କରୁଛନ୍ତି । ଏସବୁ ଭିତରେ ବିଜେଡିର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି କହିଛନ୍ତି, ଏଭଳି ଚର୍ଚ୍ଚା ସମ୍ପୂର୍ଣ୍ଣ ରୂପେ ମିଛ ଓ ଗୁଜବ । ବିଜେପି ସହିତ କୌଣସି ସାଂସଦ ଯୋଗାଯୋଗ କରିନାହାନ୍ତି । ବିଜେଡିରେ ଅଛୁ ଓ ରହିବୁ । ସେପଟେ ବିଜେପିକୁ ଆକ୍ରମଣ କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । କହିଛନ୍ତି, ବିଜେଡି କେବେ ବି ବିନା ଡେଣାରେ ଆକାଶରେ ଉଡ଼ିବାକୁ ବିଶ୍ବାସ କରେନି ।
ରାଜ୍ୟସଭାରେ ଏବେ ବିଜେଡିର ୭ ସାଂସଦ ରହିଛନ୍ତି । ସେପଟେ ବିଜେଡିର କିଛି ସାଂସଦଙ୍କୁ ନିଜ ଶିବିରକୁ ଆଣି ରାଜ୍ୟସଭାରେ ଶକ୍ତି ବୃଦ୍ଧି କରିବା ଲକ୍ଷ୍ୟରେ ଅଛି ବିଜେପି । ତେବେ ବିଜେଡି ଏହାକୁ କିଭଳି କାଂଉଟର କରିବ ସେ ଉପରେ ରାଜନୈତିକ ମହଲର ନଜର ରହିଛି ।