ଚଳିତ ବର୍ଷ ଶୀତ ଉଭାନ

ନଭେମ୍ୱର ଯାଇ ଡିସେମ୍ୱର ପ୍ରଥମ ସପ୍ତାହ ସରିଗଲାଣି। ହେଲେ ରାଜ୍ୟରେ ଶୀତର ଦେଖା ନାହିଁ। ପ୍ରତିବର୍ଷ ଏହି ସମୟରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଥିବା ବେଳେ ଚଳିତବର୍ଷ ଉଭାନ ହୋଇଯାଇଛି। ମଝିରେ କିଛି ଦିନ ଦୁଇରୁ ତିନୋଟି ସହରର ସର୍ବନିମ୍ନ ତାପମାତ୍ରା ସାମାନ୍ୟ କମିଥିଲା। ମାତ୍ର ଏବେ କମ୍ୱଳ ଘୋଡ଼ାଇ ହୋଇ ଶୋଇବା ବଦଳରେ ଲୋକଙ୍କ ଘରେ ଫ୍ୟାନ୍‌ ଦରକାର ପଡୁଛି। ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଆହୁରି ଚକିତ କଲା ଭଳି ହୋଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା ସ୍ବାଭାବିକ ସ୍ଥିତିକୁ ଫେରିବ ନାହିଁ। ଅର୍ଥାତ୍‌ ସମସ୍ତ ସହରରେ ରାତିର ପାରଦ ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରି ଅଧିକ ରହିବ।

କୋରାପୁଟ , କନ୍ଧମାଳ ସୁନ୍ଦରଗଡ଼ ଜିଲ୍ଲାର ତାପମାତ୍ରା ମଧ୍ୟ ସ୍ବାଭାବିକଠାରୁ ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଆକଳନ ଅନୁଯାୟୀ ୯ ତାରିଖରେ କେବଳ କୋରାପୁଟ ବ୍ୟତୀତ ଅନ୍ୟ ସମସ୍ତ ସହରରେ ରାତିର ତାପମାତ୍ରା ୧୫ ଡିଗ୍ରି ଉପରେ ରହିବ। ଉପକୂଳ ଓଡ଼ିଶା ସମେତ ସମ୍ବଲପୁର , ସୁବଣ୍ଣପୁର, ବଲାଙ୍ଗୀର ରାୟଗଡ଼ା ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରି ଉପରେ ରହିପାରେ। ୧୦ ତାରିଖରେ ଅଧିକାଂଶ ସହରର ପାରଦ ୨୦ ଡିଗ୍ରି ଡେଇଁଯିବାକୁ ଥିବା ବେଳେ ୧୧ ତାରିଖରେ ସାମାନ୍ୟ କମିବ। ସେପଟେ ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳୁ ସକାଳୁ କୋହଲା ପାଗ ସହ ଝିପିଝିପି ବର୍ଷା ହୋଇଛି। ସୋମବାର ମୟୁରଭଞ୍ଜ , କେନ୍ଦୁଝର , ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ନୟାଗଡ଼, କନ୍ଧମାଳ,ରାୟଗଡ଼ା, କଟକ , ଖୋର୍ଧା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।