ବାରାଣ୍ଡାରେ ବିଦ୍ୟାଳୟ

ସରକାର ବିଦ୍ୟାଳୟ ଗୁଡ଼ିକ ରୂପାନ୍ତରୀକରଣ ଆଳରେ କୋଟିକୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ ହେଉଛି। ହେଲେ ଆଜି ମଧ୍ୟ ଏମିତି ବିଦ୍ୟାଳୟ ରହିଛି ଯେଉଁଠି ବାରଣ୍ଡାରେ ଭବିଷ୍ୟତ ଗଢ଼ା ହେଉଛି। ଖୋଲାମେଲାରେ ଛାତ୍ରଛାତ୍ରୀ ବସୁଛନ୍ତି । ନିରୁପାୟ ହୋଇ ଶିକ୍ଷକ ଶିକ୍ଷୟିତ୍ରୀ ପଢ଼ାଉଛନ୍ତି । ପାଠ ପଢ଼ା ସାଙ୍ଗକୁ ପାନୀୟ ଜଳର ସମସ୍ୟାରେ ଘାଂଟି ହେଉଛି ଗଜପତି ଜିଲ୍ଲା ମୋହନା ରଙ୍ଗମାଟିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ।

ଉପରେ ଆଜବେଷ୍ଟସ୍ ପଡ଼ିଛି। ଚାରିପଟେ ଅଳ୍ପ ଅଳ୍ପ କାନ୍ଥ ଉଠିଛି। ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ତିଆରି ହୋଇଥିବା ଘରେ ପାଠପଢ଼ା ଚାଲିଛି। ଦୁଇଟି ଶ୍ରେଣୀର ପିଲାଙ୍କୁ ବସାଇ ଦୁଇ ପଟେ ଦୁଇଜଣ ଶିକ୍ଷୟିତ୍ରୀ ପଢ଼ାଉଛନ୍ତି । ଥରେ ଚିନ୍ତା କରନ୍ତୁ, ଏକାବେଳେ ଗୋଟିଏ ସ୍ଥାନରେ ଦୁଇଟି ଶ୍ରେଣୀର ପାଠପଢ଼ା ସମୟରେ ଛାତ୍ରୀଛାତ୍ରୀ କେଉଁଭଳି ସମସ୍ୟାର ସମ୍ମୁଖୀନ ହେଉଥିବେ। କିଏ କେଉଁ ଶ୍ରେଣୀର ପାଠ ବଝୁଥିବେ।

ମୋହନା ସହର ସ୍ଥିତ ୧୦ ନମ୍ବର୍ ୱାର୍ଡରେ ରହିଛି ରଙ୍ଗ ମାଟିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ୨୪୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟର ମାତ୍ର ୩ଟି ଶ୍ରେଣୀ ଗୃହ ଥିବାରୁ ପିଲାମାନେ ବାରଣ୍ଡାରେ ବସି ପଢୁଛନ୍ତି। କି ଖରା କି ଶୀତ ସବୁବେଳେ ଏହି ଭଳି ଢଙ୍ଗରେ ପିଲାଙ୍କ ଭବିଷ୍ୟତ ଗଢ଼ା ହେଉଛି। ଦୁଇ ଶ୍ରେଣୀ ଗୃହ ବାରଣ୍ଡା ମଝିରେ ରହିଛି ଏକ ପାଚେରୀ। ପାଚେରୀ ଏପଟେ ଗୋଟିଏ ଶ୍ରେଣୀ ଓ ସେପଟେ ଆଉ ଗୋଟିଏ ଶ୍ରେଣୀର ପିଲା ବସୁଛନ୍ତି ।