ଆଳୁ ଦର ବୃଦ୍ଧି ଯୋଗୁଁ ବିଧାନସଭାରେ ଗର୍ଜନ କଲେ ବିରୋଧୀ
ବଡ଼ବଡ଼ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜେପି ରାଜ୍ୟରେ ସରକାର ଗଢ଼ିବା ପରେ କେବଳ ଖାଉଟିଙ୍କୁ କନ୍ଦାଇଛି। ଚାରି ମାସ ହେଲା ଆଳୁ କଷ୍ଟରେ ଲୋକ ହନ୍ତସନ୍ତ ହେଲେଣି। ମାତ୍ର ସରକାର ବେଫିକର ଓ ଯୋଗାଣମନ୍ତ୍ରୀ ବେପରୁଆ ମନ୍ତବ୍ୟ ଦେଉଛନ୍ତି। ଡବଲ ଇଞ୍ଜିନ୍ ସରକାର ଆଳୁ ଟ୍ରକ ଟାଣି ପାରୁନାହିଁ, ମାତ୍ର ଅମୁକ ରାଜ୍ୟରୁ ଆଜି ଆଳୁ ଆସିବ, କାଲି ପହଞ୍ଚିବ, ଗାଡ଼ିରେ ଲୋଡ୍ ହେଉଛି, ଦର ବଢ଼ି ନାହିଁ ବୋଲି ମନ୍ତ୍ରୀ ଟିପ୍ପଣୀ ଦେଇ ଲୋକଙ୍କ କଟା ଘା’ରେ ଚୂନ ଲେପିଛନ୍ତି। ଡବଲ ଇଞ୍ଜିନ୍ରେ ବି ଅନ୍ୟ ରାଜ୍ୟରୁ ଆଳୁ ଆସି ଓଡିଶା ବଜାରରେ ପହଞ୍ଚିପାରୁ ନାହିଁ। ଲୋକମାନେ ତାତିଲେଣି, ଆଳୁ ମନ୍ତ୍ରୀଙ୍କ ଚୋପା ଛଡ଼ାଇବାକୁ ଧମକ ଦେଲେଣି। ତେଣୁ ଶସ୍ତା ମନ୍ତବ୍ୟ ପରିବର୍ତ୍ତେ ଆଳୁକୁ ଶସ୍ତା କରିବାକୁ ସରକାର ପଦକ୍ଷେପ ନିଅନ୍ତୁ । କେଉଁ ରାଜ୍ୟ ସହ ଆଳୁ ଆଣିବାକୁ ଆଲୋଚନା ହୋଇଛି, ସ୍ପଷ୍ଟ କରନ୍ତୁ ବୋଲି ବିଧାନସଭାରେ ଗର୍ଜିଛନ୍ତି ବିରୋଧୀ।
ଆଜି ଗୃହରେ ଶୂନ୍ୟ କାଳରେ ଆଳୁ ପ୍ରସଙ୍ଗ ଉଠାଇ ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ ବିଜେଡି ଓ କଂଗ୍ରେସ୍ ସଦସ୍ୟ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ଆଳୁ ହେଉଛି ଓଡିଆ ଘରର ଅତ୍ୟାବଶ୍ୟକ ପରିବା; କିନ୍ତୁ ନୂଆ ସରକାର ଆସିବା ପରଠାରୁ ଲୋକେ ଯେତିକି ଆଳୁ ଯନ୍ତ୍ରଣା ପାଇଲେଣି, ତାହା ପୂର୍ବରୁ କେବେ ଦେଖା ଯାଇ ନଥିଲା। ଉତ୍ତର ପ୍ରଦେଶରୁ କିଛି ଆଳୁ ଆସିଥିଲା, ମାତ୍ର ସେ ବସ୍ତାରେ ୮ କେଜି ପଚା। ସରକାର କିଛି ନଜାଣିବା ପରି ବସିଛନ୍ତି। ଆଳୁ ଅଭାବ ଦୂର ପାଇଁ କ’ଣ ପଦକ୍ଷେପ ନିଆଯାଉଛି, ସରକାର କ’ଣ ଚିନ୍ତା କରୁଛନ୍ତି, କେଉଁ ରାଜ୍ୟର ସରକାର ସହିତ ଆଲୋଚନା କଲେ ତାହା କାହାକୁ ଜଣାନାହିଁ। ତେଣୁ ସରକାର ରାଜ୍ୟବାସୀଙ୍କୁ ଏହାର ଜବାବ ଦିଅନ୍ତୁ ବୋଲି ପ୍ରମିଳା ଦାବି କରିଥିଲେ।