ଭୁବନେଶ୍ବରରେ ମୋଦୀଙ୍କ ଘୋଷଣା : ଓଡ଼ିଶାରେ ପାଳନ ହେବ ପ୍ରବାସୀ ଭାରତୀୟ ଦିବସ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱ ଆସି ନିଜ ଉଦବୋଧନରେ ବାଲିଯାତ୍ରା କଥା ମନେପକାଇଛନ୍ତି । ଆଉ କହିଛନ୍ତି, ଚଳିତ ମାସରେ ଓଡିଶାରେ ବାଲିଯାତ୍ରାର ସଫଳ ଆୟୋଜନ ହେଲା । ଆଉ ଆଜି ମୁଁ ଏଠାରେ ଡିଜିପି ସମ୍ମିଳନୀରେ ଯୋଗ ଦେବାକୁ ଆସିଛି । ଆମେ ଦେଶରେ ୧୦୦ରୁ ୧୫୦ ବର୍ଷ ହେବ ଏହି ସମ୍ମିଳନୀ ଚାଲିଛି । ହେଲେ ଓଡିଶାରେ ଏହା ପ୍ରଥମଥର ହେଉଛି । ଦେଶର ପ୍ରମୁଖ କ୍ଷେତ୍ରର ମୁଖ୍ୟ ଏଟାରେ ରହି ପ୍ରେରଣା ନେଇ ନିଜ ନିଜ ସ୍ଥାନକୁ ଫେରିବେ । ୪ ଦିନ ପରେ ୪ ଡିସେମ୍ବରରେ ଏଠାରେ ନୌସେନା ଦିବସ ପାଳନ ହେବ । ପୁରୀର ବ୍ଲୁ ଫ୍ଲାଗ ବିଚରେ ନୌସେନା ତାର ଶକ୍ତି ଦେଖାଇବ । ଏହାର ଅର୍ଥ ଓଡିଶା ବୈଶିକ ନଜରର କେନ୍ଦ୍ରକୁ ଆସିବ । ପୁଣି ୨୦୨୫ ଜାନୁଆରୀ ୮ରୁ ୧୦ ଭିତରେ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସର ଆୟୋଜନ ହେବ । ବିଶ୍ୱସାରା ଲୋକ ଆସିବେ । ଦୁନିଆର ଅନେକ ଲୋକଙ୍କୁ ସ୍ୱାଗତ କରିବାର ସୁଯୋଗ ମିଳିବ । ଓଡିଶାର ଭରପୂର ପ୍ରଚାର ପ୍ରସାର ହେବ । ମୋଦୀ କହିଛନ୍ତି, ଆମେ ଓଡିଶାକୁ ଦେଶ ନୁହେଁ ଦୁନିଆର ନକ୍ସାରେ ପ୍ରାଥମିକତା ଦେବାକୁ ଚାହୁଁଛୁ । ଆପଣ ଏବେଠାରୁ ପ୍ରବାସୀ ଭାରତୀୟ ଦିବସର ପ୍ରସ୍ତୁତି ଆରମ୍ଭ କରନ୍ତୁ । ଏହା ଯେମିତି ଜି-୨୦ଠାରୁ ଭଲ ହେବା ଦରକାର । ଏହା ଏମିତି ଏକ ମଞ୍ଚ ଯେଉଁଠି ସବୁ କାର୍ଯ୍ୟକର୍ତ୍ତା ନିଜ ସାମର୍ଥ୍ୟ ଦେଖାଇପାରିବେ । ଆମ ଓଡିଶା ସ୍ୱଚ୍ଛ ହେଉ ସୁନ୍ଦର ହେଉ ଏଠାକାର ସଂସ୍କୃତି ସହ ଲୋକେ ପରିଚିତ ହୁଅନ୍ତୁ । ଆମେ ଆଉ ଆପଣ ମିଶି ଓଡିଶା ଗୌରବକୁ ଆଗେଇ ନେବା । ଓଡିଶାରେ ଡବଲ ଇଞ୍ଜିନର ସରକାର ହେବା ପରେ ଏଠାରେ ସବୁ କ୍ଷେତ୍ରରେ ବିକାଶର ଗତି ବଢିବାରେ ଲାଗିଛି । ଖେଳ, ଶିକ୍ଷା, ପର୍ଯ୍ୟଟନରେ ରାଜ୍ୟ ଅଦ୍ଭୁତ ପୂର୍ବ ଆଗେଇ ଚାଲିଛି ।