ରାଜଧାନୀ ଦିଲ୍ଲୀରେ ଓଡ଼ିଆ ସଂସ୍କୃତିର ଝଲକ୍

ନେହରୁ ଷ୍ଟାଡିୟମ୍ ପରିସରରେ 3 ଦିନିଆ ଓଡ଼ିଶା ପର୍ବ ୨୦୨୪ ଆରମ୍ଭ

ଆଜିଠୁ ଜବାହାରଲାଲ ନେହରୁ ଷ୍ଟାଡିୟମ୍ ପରିସରରେ 3 ଦିନିଆ ଓଡ଼ିଶା ପର୍ବ ୨୦୨୪ ଆରମ୍ଭ । ଓଡ଼ିଆ ସମାଜ ପକ୍ଷରୁ ଭବ୍ୟ ଆୟୋଜନ ।ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ ଚଳିତ ଓଡ଼ିଶା ପର୍ବକୁ କରିବ ଗରିମାମୟ। ସାହିତ୍ୟିକ ଓ କଳାକାରଙ୍କ ପ୍ରତିଭାର ପ୍ରଦର୍ଶନ ସହ ଜମିବ ଓଡ଼ିଆ ଖାଦ୍ୟର ଆସର । ୩ଦିନ ପର୍ଯ୍ୟନ୍ତ ଓଡ଼ିଆ କଳା,ସସ୍କୃତି, ଖାଦ୍ୟ ଓ ନୃତ୍ୟ ଗୀତର ଆସର ଜମିବ ଏହି ଷ୍ଟାଡିଅମ ପରିସରରେ। ଚଳିତ ବର୍ଷର ଓଡ଼ିଶା ପର୍ବକୁ ସଫଳ କରିବା ପାଇଁ ଦିନରାତି ଏକ କରିଦେଇଛି ଦିଲ୍ଲୀ ଓଡ଼ିଆ ସମାଜ।

ଏଥର ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସାମିଲ ହେବେ ଏହି ଓଡ଼ିଆ ପର୍ବରେ। ରାଜ୍ୟର ଜୀବନ୍ତ ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ମୂଲ୍ୟବୋଧକୁ ପ୍ରଦର୍ଶିତ କରାଯିବା ସହ ଓଡ଼ିଆ ଅସ୍ମିତାର ପ୍ରତିଫଳନ ବି ଦେଖିବାକୁ ମିଳିବ। ଏଥିସହ ଓଡ଼ିଶାର ପ୍ରସିଦ୍ଧ ହସ୍ତଶିଳ୍ପ, ହସ୍ତତନ୍ତ, କଳା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିବ ଜବାହାରଲାଲ ନେହେରୁ ଷ୍ଟାଡିଅମ ପରିସରରେ। ପାରମ୍ପରିକ ଓଡ଼ିଆ ଖାଦ୍ୟର ପସରା ବି ଲାଗିବ ତିନି ଦିନ ବ୍ୟାପୀ। ଓଡ଼ିଆ ଅସ୍ମିତା, ଓଡ଼ିଆ କଳା, ଓଡ଼ିଆ ସଂସ୍କୃତିର ସଂରକ୍ଷଣ ପାଇଁ କିପରି ଏକ ଦୀର୍ଘକାଳୀନ ବାତାବରଣ ତିଆରି କରାଯାଇପାରିବ ସେନେଇ କନକ୍ଲେଭରେ ହେବ ଚିନ୍ତନ।