ବିଜେପିର ବରିଷ୍ଠ ନେତା ସମୀର ଦେ ଙ୍କ ପରଲୋକ

ବରିଷ୍ଠ ଭାଜପା ନେତା ସମୀର ଦେ’ଙ୍କ ପରଲୋକ ଘଟିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସହ ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । କଟକର ଏକ ଘରୋଇ ହସ୍ପିଟାଲରେ ସମୀର ଦେଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା।  ଅସୁସ୍ଥ ଥାଇ ଦୀର୍ଘଦିନରୁ ଚିକିତ୍ସାଧୀନ ଥିଲେ ସମୀର ଦେ। ନିମୋନିଆ, କିଡ଼ନୀ, ରକ୍ତଚାପ ଜନିତ ରୋଗରେ ଆକ୍ରାନ୍ତ ଥିଲେ।

ସମୀର ଦେ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ଭାଜପା ଟିକେଟରେ କଟକ ସିଟି ବିଧାନସଭା ଆସନରୁ ଲଗାତାର ତିନି ଥର ବିଜୟୀ ହୋଇଥିଲେ। ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରରେ ନଗର ଉନ୍ନୟନ ମନ୍ତ୍ରୀ ଥିଲେ। ସେହିପରି ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସେ ଉଚ୍ଚଶିକ୍ଷା ମନ୍ତ୍ରୀ ହୋଇଥିଲେ।

ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱର୍ଗତ ଦେ ଜଣେ ଲୋକପ୍ରିୟ ଜନ ନେତା ଓ ଦୃଢ଼ ସଂଗଠକ ଥିଲେ। ଉଚ୍ଚ ଶିକ୍ଷା ଓ ନଗର ଉନ୍ନୟନ ମନ୍ତ୍ରୀ ଭାବରେ ସେ ରାଜ୍ୟର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖି ଯାଇଛନ୍ତି। ତାଙ୍କର ମିଷ୍ଟଭାଷୀ ବ୍ୟକ୍ତିତ୍ଵ ପାଇଁ ସେ ସବୁ ବର୍ଗର ଲୋକଙ୍କର ପ୍ରିୟପାତ୍ର ଥିଲେ। କଟକ ସହର ସହିତ ସାରା ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସଂଗଠନକୁ ସୁଦୃଢ କରିବାରେ ତାଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିଲା। ତାଙ୍କର ଶେଷ କୃତ୍ୟ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଆମ ଦଳର ବରିଷ୍ଠ ନେତା ସମୀର ଦେଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଦାଦା ଜଣେ ମିଷ୍ଟଭାଷୀ ଓ ପରୋପକାରୀ ସ୍ୱଭାବର ବ୍ୟକ୍ତି ଥିଲେ । ତାଙ୍କୁ ସବୁବେଳେ ଭେଟିବା ସମୟରେ ତାଙ୍କର ପରିବାର ସଦସ୍ୟଙ୍କ ଠାରୁ ମିଳିଥିବା ସ୍ନେହ ଆଦର ଅଭୁଲା ରହିବ । ବିଜେପିର ପ୍ରାରମ୍ଭିକ ପ୍ରଗତି ସମୟରେ ଉପକୂଳ ଓଡ଼ିଶାରେ ଅଭ୍ୟୁଦୋୟର କେନ୍ଦ୍ରବିନ୍ଦୁ ଭାବେ କଟକ ସହରରୁ ଆମ ଦଳର ରାଷ୍ଟ୍ରବାଦୀ ବିଚାରକୁ ଜନପ୍ରିୟ କରାଇବାରେ ସେ ପ୍ରମୁଖ ଭୂମିକା ନେଇଥିଲେ । ଦାଦାଙ୍କ ବିୟୋଗରେ ଓଡ଼ିଶା ଜଣେ ସ୍ନେହୀ ଓ ଦକ୍ଷ ନେତାଙ୍କୁ ହରାଇଲା । ଜନପ୍ରତିନିଧି ଭାବେ ସେ ଯେଉଁ ଉନ୍ନତିମୂଳକ କାର୍ଯ୍ୟ କରିଯାଇଛନ୍ତି, ତାହା ସବୁଦିନ ପାଇଁ ସ୍ମରଣୀୟ ହୋଇରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।

ସମୀର ଦେ’ଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ କରିଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ, ବିରୋଧୀଦଳ ନେତା ନବୀନ ପଟ୍ଟନାୟକ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସାଂସଦ ବୈଜୟନ୍ତ ପଣ୍ଡା, ସାଂସଦ ଭର୍ତ୍ତୃହରି ମହତାବ, ବରିଷ୍ଠ ନେତା ସମୀର ମହାନ୍ତି ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।