ଇଡକୋ ଜୁନିୟର ମ୍ୟାନେଜରଙ୍କ ଘର ସମେତ ୬ଟି ଜାଗାରେ ଭିଜିଲାନ୍ସର ଚଢାଉ

ଭିଜିଲାନ୍ସ ଜାଲରେ ପଡିଲେ ଇଡକୋ ଜୁନିୟର ମ୍ୟାନେଜର। ଇଡକୋର ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢାଉ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମୁଦାୟ ୬ଟି ସ୍ଥାନରେ ଚଢ଼ାଉ ଚାଲିଛି। ଭୁବନେଶ୍ୱରର ରାଜାରାଣୀ ଅଞ୍ଚଳରେ ଥିବା ଘର, ସାମନ୍ତରାପୁରରେ ଥିବା ସମ୍ପର୍କୀୟଙ୍କ ଘରେ ତଥା ଖୋର୍ଦ୍ଧା ଓ ପୁରୀର ୬ଟି ସ୍ଥାନରେ ଏକକାଳୀନ ରେଡ କରିଛି ଭିଜିଲାନସ  ।

ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ

ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ । ଶନିବାର ବିଳମ୍ବିତ ରାତିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପୁଣି ଦିଲ୍ଲୀ ଯାଇଥିବାବେଳେ, ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଆଜି ସକାଳେ ଦିଲ୍ଲୀ ବାହାରିଛନ୍ତି । ତେବେ ଆଗକୁ ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ, ଏହି ଦୁଇ ଦଳର ମୁଖିଆଙ୍କ ଦିଲ୍ଲୀ ଗସ୍ତକୁ ନେଇ ଆରମ୍ଭ ହୋଇଛି ରାଜନୀତି ।

ଆଉ ଗୋଟିଏ ଦିନ ପରେ ପଡ଼ିବ ଉପରାଷ୍ଟ୍ରପତି ନିର୍ବାଚନ ଭୋଟ୍ । ଏବେ ପର୍ଯ୍ୟନ୍ତ ଏହି ନିର୍ବାଚନରେ ବିଜେଡି କାହାକୁ ସମର୍ଥନ ଦେବ, ସେନେଇ କିଛି ବି ସ୍ପଷ୍ଟ ହେଇନି । ଏହାରି ଭିତରେ ଶଙ୍ଖ ସୁପ୍ରିମୋ ଦିଲ୍ଲୀ ଗସ୍ତରେ ବାହାରିଛନ୍ତି । ଚର୍ଚ୍ଚା ହେଉଛି ଏହି ଗସ୍ତରେ ନବୀନ ବିଜେପିର କିଛି ବଡ଼ ନେତାଙ୍କୁ ଭେଟି ଆଲୋଚନା କରିପାରନ୍ତି । ଏହାସହ ସେ ପିଏମ୍ ମୋଦୀଙ୍କୁ ମଧ୍ୟ ଭେଟିପାରନ୍ତି ବୋଲି ଖବର ମିଳୁଛି ।ତେଣୁ କେଉଁଠି ନା କେଉଁଠି ନବୀନଙ୍କ ଉପରେ ଏବେ ସମସ୍ତଙ୍କର ନଜର ରହିଛି ।

ଅନ୍ୟପଟେ ରାଜ୍ୟ ବିଜେପି ମୁଖିଆ ମନମୋହନ ସାମଲ ଶନିବାର ବିଳମ୍ବିତ ରାତିରେ ପୁଣିଥରେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଚର୍ଚ୍ଚା ହେଉଛି ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ କେନ୍ଦ୍ରୀୟ ନେତାଙ୍କ ସହ ତାଙ୍କର ମିଟିଂ ହେଇପାରେ । ତେଣୁ ଯେହେତୁ ବିଜେଡି ଆଉ ବିଜେପି ଭଳି ଦୁଇ ଦଳର ରାଜ୍ୟ ସଭାପତି ଏବେ ଦିଲ୍ଲୀ ଗସ୍ତରେ ବାହାରିଛନ୍ତି, ତେଣୁ ଚର୍ଚ୍ଚା ହେବା ସ୍ୱାଭାବିକ, ଓଡ଼ିଶା ପାଇଁ ଦିଲ୍ଲୀରୁ ଆସିବ କି ବଡ଼ ଖବର ?

ସାଧାରଣ ନିର୍ବାଚନ ପରଠାରୁ ବିଜେଡି-ବିଜେପି ସମ୍ପର୍କରେ ତିକ୍ତତା ଆସିଛି । ପୂର୍ବରୁ ଅଧିକାଂଶ ପ୍ରସଙ୍ଗରେ ନବୀନ, ବିଜେପିକୁ ସମର୍ଥନ କରିଆସୁଥିଲେ । ହେଲେ ନିର୍ବାଚନ ପରେ କିନ୍ତୁ, ସେମିତି ଖୋଲା ସମର୍ଥନ ଦେଖିବାକୁ ମିଳିନି । ଅନେକ ପ୍ରସଙ୍ଗରେ ବିଜେଡି ସାଂସଦମାନେ ଭାଗ ଭାଗ ହେଇ ସମର୍ଥନ ଦେଇଛନ୍ତି ନଚେତ୍ ବିରୋଧ କରିଛନ୍ତି । ତେଣୁ ଆଗକୁ ଯେହେତୁ ଉପରାଷ୍ଟ୍ରପତି ନିର୍ବାଚନ ଅଛି, ତେଣୁ ବିଜେଡି ଉପରେ ଏବେ ସମସ୍ତଙ୍କର ନଜର ।

ଆପଣଙ୍କର ଚାରି ଚକିଆ ଯାନ ଅଛି କି? ଆଉ ସୁଭଦ୍ରା ଟଙ୍କା ମିଳିବନି

ଯଦି ଆପଣଙ୍କର ଚାରି ଚକିଆ ଯାନ ଅଛି  । ତେବେ ଆଉ ସୁଭଦ୍ରା ଟଙ୍କା ମିଳିବନି ।  ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ବିଷୟରେ ତ ଆପଣ ଜାଣିଥିବେ । ଏହି ସ୍କିମରେ ସରକାର ମହିଳାମାନଙ୍କୁ ସଶକ୍ତ କରିବାକୁ ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଦେଉଛନ୍ତି । ହେଲେ ଏବେ କିନ୍ତୁ ସେହି ସୁଭଦ୍ରା ଯୋଜନାକୁ ନେଇ ଆସିଛି ବଡ଼ ଖବର । ଏଣିକି ସୁଭଦ୍ରା ଯୋଜନାରୁ ବାଦ୍ ପଡିବେ ଏକାଧିକ ହିତାଧିକାରୀ । ଏନେଇ ସରକାରଙ୍କ ତରଫରୁ ଡାଟାବେସ୍ ପ୍ରସ୍ତୁତ କରାଯାଉଛି ।

ସୁଭଦ୍ରା ଯୋଜନା ପାଉଥିବା ଯେଉଁ ହିତାଧିକାରୀଙ୍କ ଚାରି ଚକିଆ ଯାନ ଥିବ, ସେମାନଙ୍କୁ ଆଉ ସୁଭଦ୍ରା ଟଙ୍କା ମିଳିବନି । ଏଥିପାଇଁ ବାହାନ ଡାଟାବେସରୁ ହିତାଧିକାରୀଙ୍କ ତଥ୍ୟ ଯାଞ୍ଚ କରାଯିବ । ଏହାସହ ମୃତ ହିତାଧିକାରୀଙ୍କୁ ମଧ୍ୟ ଖୋଜାଯିବ । ସେହିପରି ଯେଉଁ ସୁଭଦ୍ରା ହିତାଧିକାରୀଙ୍କର ୫ ଏକର ଜମି ଥିବ, ସେମାନଙ୍କୁ ମଧ୍ୟ ସୁଭଦ୍ରା ଯୋଜନାରୁ ବାଦ୍ ଦିଆଯିବ । ବାହାନ ଡାଟାବେସ୍ ସହିତ ଜମିର ମାଲିକଙ୍କୁ ଚିହ୍ନଟ କରି, ଏହି ତାଲିକା ପ୍ରସ୍ତୁତ କରାଯିବ । ଏହାସହିତ ସ୍ୱାସ୍ଥ୍ୟ ବିଭାଗକୁ ମଧ୍ୟ ମୃତ ସୁଭଦ୍ରା ହିତାଧିକାରୀଙ୍କ ତଥ୍ୟ ଦେବାକୁ କୁହାଯାଇଛି । ଏହାସହ ପଞ୍ଜୀକରଣ କରି ଧାନ ବିକ୍ରି କରିଥିବା ସୁଭଦ୍ରା ହିତାଧିକାରୀଙ୍କୁ ଚିହ୍ନଟ କରି ଯାଞ୍ଚ କରିବାକୁ ଖାଦ୍ୟ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ରାଜ୍ୟର ମହିଳାମାନଙ୍କୁ ୩ଟି କିସ୍ତିରେ ୧୫ ହଜାର ଟଙ୍କା ଦେଇସାରିଲେଣି । ଗତ ରାକ୍ଷୀ ପୂର୍ଣ୍ଣିମାନରେ ୧ କୋଟି ଦୁଇ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରାର ତୃତୀୟ କିସ୍ତି ଦିଆଯାଇଥିଲା । ସେତେବେଳେ ପ୍ରାୟ ୨ ଲକ୍ଷ ହିତାଧିକାରୀ ବାଦ୍ ପଡ଼ିଥିଲେ । ତେଣୁ ଆଗକୁ ମଧ୍ୟ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେଇ, ଯୋଗ୍ୟ ହିତାଧିକାରୀଙ୍କୁ କିପରି ସୁଭଦ୍ରା ଯୋଜନାରେ ସାମିଲ କରାଯିବ, ସେନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଆଜି ପାର୍ଶ୍ୟ ପରିବର୍ତ୍ତିନ ଏକାଦଶୀ : କଣ ରହିଛି ରହସ୍ୟ

ଭାଦ୍ରବ ମାସର ଶୁକ୍ଳ ପକ୍ଷ ଏକାଦଶୀକୁ ପାର୍ଶ୍ୟ ପରିବର୍ତ୍ତିନ ଏକାଦଶୀ ବା ପଦ୍ମା ଏକାଦଶୀ ରୂପେ ପାଳନ କରାଯାଏ  । ବର୍ଷକୁ ପଡୁଥିବା ୪ଟି ବଡ଼ ଏକାଦଶୀ ମଧ୍ୟରୁ ଏହି ଏକାଦଶୀ ଅନ୍ୟତମ  । ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ଦିନ ଭଗବାନ ବିଷ୍ଣୁ ଯୋଗନିଦ୍ରାରେ ରହି ନିଜର ପାର୍ଶ୍ଵ ପରିବର୍ତ୍ତନ କରିଥାନ୍ତି  ।

ଏହା ଫଳରେ ଭଗବାନ ବିଷ୍ଣୁଙ୍କର ସ୍ଥାନ ପରିବର୍ତ୍ତନ ହୋଇଥାଏ  । ତେଣୁ ଏହାର ଏହିପରି ନାମକରଣ ହୋଇଥିବାର କୁହଯାଏ  । ଧାର୍ମିକ ମାନ୍ୟତା ଅନୁସାରେ ଏହି ଦିନ ବ୍ରତ, ଉପବାସ ପୂଜା ଆଦି କରିବା ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳେ ଏବଂ ଗୃହରେ କୌଣସି ପ୍ରକାର ଅଶାନ୍ତି ରହେ ନାହିଁ ବୋଲି ବିଶ୍ବାସ ରହିଛି ।

ଶ୍ରୀଜଗନ୍ନାଥ ମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରା ମଧ୍ୟରୁ ପାର୍ଶ୍ଵ ପରିବର୍ତ୍ତନ ଯାତ୍ରା ଅନ୍ୟତମ l ଭାଦ୍ରବ ଶୁକ୍ଳ ଏକାଦଶୀ ରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ l ମହାପ୍ରଭୁଙ୍କ ୪ ମାସ ଶୟନ କାଳରେ ୨ମାସରେ ପାର୍ଶ୍ୱ ପରିବର୍ତ୍ତନ କରିଥାନ୍ତି  । ଭାଦ୍ର ଶୁକ୍ଳ ଏକାଦଶୀ ଦିନ ଭୋଗମଣ୍ଡପ ନୀତି ଶେଷ ହେବା ପରେ ତିନି ଠାକୁରଙ୍କ ମହାସ୍ନାନ ହୋଇ ନୂଆ ଲୁଗା ଲାଗି କରାଯାଏ l ତତ୍ପରେ ପୂଜାପଣ୍ଡା , ପତିମହାପାତ୍ର ଓ ମୁଦିରସ୍ତ ସେବକ ଘଟୁଆରୀ ଘରୁ ଆସିଥିବା ଚନ୍ଦନ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି l ଏହାପରେ ଶ୍ରୀମଦନମୋହନଙ୍କୁ ମହାଜନ ସେବକ ରତ୍ନସିଂହାସନ ବିଜେ କରାଇଥାନ୍ତି l ସେଠାରେ ମହାପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ପାଇ ମୁକ୍ତିମଣ୍ଡପ ନିକଟରେ ଥିବା ପାଲିଙ୍କିକୁ ବିଜେ କରିଥାନ୍ତି l ଏହାପରେ ବିମାନ ବଡୁ ସେବକ ଉକ୍ତ ପାଲିଙ୍କି ଟିକୁ ସ୍କନ୍ଧରେ ବହନ କରି ବଡଦେଉଳର ୧ଥର ପରିକ୍ରମା କରି ପୁଣି ମୁକ୍ତିମଣ୍ଡପ ନିକଟରେ ରଖିଥାନ୍ତି l ଏହାପରେ ଶ୍ରୀମଦନମୋହନ ଜୟ ବିଜୟ ଦ୍ୱାର ନିକଟରେ ବିଜେ କରିଥାନ୍ତି ଓ ସେଠାରେ ଏକାଦଶୀ ଭୋଗ ଏବଂ ବନ୍ଦାପନା ହୋଇଥାଏ l ତତ୍ପରେ ଶ୍ରୀମଦନମୋହନ ଦକ୍ଷିଣୀ ଘରକୁ ବିଜେ କରିଥାନ୍ତି  ।
ସାନ୍ଧ୍ୟ ଧୂପ ଶେଷ ହେବା ପରେ ଅନନ୍ତ ପୁରୁଷୋତ୍ତମ ମନ୍ଦିର ଭିତରେ ଦେଉଳ ପୁରୋହିତ ପବିତ୍ର ଅଧିବାସ ନିମନ୍ତେ ଆଚାର୍ଯ୍ୟ ବ୍ରହ୍ମା ବରଣ ହୋଇ ହୋମ କରିଥାନ୍ତି l ପ୍ରଥମ ବଡ଼ସିଂହାର ବେଶ ଓ ଭୋଗ ଶେଷ ହେବାପରେ ଖଟ ଶେଜ ଘର ଧୋପଖାଳ ହୋଇ ଦେଉଳ ପୁରୋହିତ ଏହି ଘରେ ପଞ୍ଚ ମୁରୁଜ ରେ ୩ଟି ମଣ୍ଡଳ କାଟିଥାନ୍ତି ଓ ଏହାଉପରେ ପୂର୍ଣ୍ଣ କୁମ୍ଭ ପ୍ରତିଷ୍ଠା କରିଥାନ୍ତି l ଏହାପରେ ଭଣ୍ଡାର ମେକାପ ଏହି ମଣ୍ଡଳ ଉପରେ ୯ମୂର୍ତ୍ତି ପବିତ୍ରା ,କୁର୍ବନ୍ତିମାଳ ୩ମୂର୍ତ୍ତି କୁ ପତନୀ ଘୋଡେଇ ରଖିଥାନ୍ତି l ତତ୍ପରେ ଦେଉଳ ପୁରୋହିତ ବରୁଣ ପୂଜା କରି ଉକ୍ତ ପବିତ୍ରାଟିକୁ ୩ ବାଡ଼ରେ ମନ୍ତ୍ର ଉଚ୍ଚାରଣ କରି ଅଧିବାସ କରାଇବା ପରେ ଖଟ ଶେଜ ଘର ମୁଦ ଦିଆଯାଇଥାଏ l ଭିତର ମଇଲମ ସରି ମହାସ୍ନାନ ସରିବା ପରେ ପାଳିଆ ପୁଷ୍ପାଳକ ନୂଆ ଲୁଗା ଲାଗି କରାଇଥାନ୍ତି l ପୂଜାପଣ୍ଡା , ପତିମହାପାତ୍ର , ମୁଦିରସ୍ତ ଘଣ୍ଟ , ଛତ୍ର , କାହାଳୀ ରେ ୩ଟି ରୂପା ପିଙ୍ଗଣରେ ଚନ୍ଦନ ବିଜେ କରାଇ ତାହା ଶ୍ରୀଅଙ୍ଗ ରେ ସର୍ବାଙ୍ଗ ଲାଗି କରାଇଥାନ୍ତି  । ଏହାପରେ ବଲ୍ଲଭ ବଡ଼ସିଂହାର ବେଶ ହୋଇ ୬ମୂର୍ତ୍ତି ଅଳଙ୍କାର ଲାଗି ହେବା ପରେ ଘଣ୍ଟ , ଛତ୍ର , କାହାଳୀ ସହ ତଳୁଚ୍ଛ ମହାପାତ୍ର ଓ ପ୍ରଧାନୀ ସେବକ ପଟୁଆରରେ ବଲ୍ଲଭ ବଡ଼ସିଂହାର ଭୋଗ ଛାମୁକୁ ଆଣିଥାନ୍ତି l ଆଜି ଶ୍ରୀମନ୍ଦିରରେ ୨ଥର ବଡ଼ସିଂହାର ବେଶ ଓ ଭୋଗ ହୋଇଥାଏ l

ଷୋଡଶ ଉପଚାର ପୂଜା ଶେଷ ହୋଇ କର୍ପୁର ଆଳତି ହେବା ପରେ ପର୍ଶ୍ଵପରିବର୍ତ୍ତନ ନୀତି ଅନୁଷ୍ଠିତ ହୋଇଥାଏ l ମୁଦିରସ୍ତ , ବେହେରା ଖୁଣ୍ଟିଆ , ଗରାବଡୁ , ପାଳିଆ ମେକାପ , ଅଖଣ୍ଡ ମେକାପ ଓ ତଢ଼ାଉ କରଣ ସେବକ ଖଟ ଶେଜ ଉପରକୁ ନିଶୁଣି ମାଧ୍ୟମରେ ଯାଇ ମୁଦ ଭାଙ୍ଗିବା ପରେ ଶୟନ ଠାକୁରଙ୍କୁ ପେଡାକୁ ମୁଦିରସ୍ତ ଖୋଲି ଗରାବଡୁ ଠାରୁ ହାତୁଆଣି ନେଇ ରୂପା ପିଙ୍ଗଣରେ ବେହେରା ଖୁଣ୍ଟିଆ ଦେଇଥିବା ଶୁକ୍ଳ ପୁଷ୍ପ ୩ ଥର ପୁଷ୍ପାଞ୍ଜଳି ଦେବାପରେ ଶୟନ ଦେବତାଙ୍କ କଡ଼ ଲେଉଟା ନୀତି କରାଯାଇଥାଏ l ଏହି ସମୟରେ ମୁଦିରସ୍ତ ବନ୍ଦାପନା କରିଥାନ୍ତି l ଏହାପରେ ପେଡା ବନ୍ଦ କରି ଦୁଆରମାନ ମୁଦ ଦେଇ ତଳକୁ ଓହ୍ଲାଇ ଆସିଥାନ୍ତି l ରତ୍ନସିଂହାସନସ୍ଥ ଶ୍ରୀଜୀଉମାନଙ୍କୁ ଲାଗି ହୋଇଥିବା ୬ ମୂର୍ତ୍ତି ସ୍ବର୍ଣ୍ଣ ଅଳଙ୍କାର ମଇଲମ କରାଯାଇ ବିଡ଼ିଆ , ଘଷା , ପାଇଡ଼ ମଣୋହି କରାଯାଇ ଖଟସେଜ ବିଜେ ପୂର୍ବକ ପହୁଡ଼ ହୋଇଥାଏ l

ନିଲମ୍ବିତ ତହସିଲଦାର ମଧୁସ୍କିତା ସିଂ ଗିରଫ

ଝାରସୁଗୁଡ଼ା ଜିଲ୍ଲାର ବହୁଚର୍ଚ୍ଚିତ ବେଲପାହାଡ଼ ମ୍ୟୁନିସିପାଲଟି ଦୁର୍ନୀତି ଘଟଣାରେ ପୂର୍ବତନ ନିର୍ବାହୀ ଅଧିକାରୀ ତଥା  ମୟୂରଭଞ୍ଜଜିଲ୍ଲା  ଜାମଦାର ନିଲମ୍ବିତ ତହସିଲଦାର ମଧୁସ୍ମିତା ସିଂଙ୍କୁ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଗିରଫ କରିଛି। ବେଲପାହାଡ଼ ମ୍ୟୁନିସିପାଲଟି ଦୁର୍ନୀତି ଘଟଣାରେ ଇଓଡବ୍ଲ୍ୟୁ ପକ୍ଷରୁ ତଦନ୍ତ ଜାରି ରହିଛି। କେବଳ ପୂର୍ବତନ ନିର୍ବାହୀ ଅଧିକାରୀଙ୍କ ସମୟରେ ନୁହେଁ ବରଂ ଏବେର ନିର୍ବାହୀ ଅଧିକାରୀ ଗୌରବ ଚନ୍ଦ୍ର ପ୍ରଧାନଙ୍କ ସମୟରେ ମଧ୍ୟ କ୍ୟାସ୍‌ବୁକ୍‌ ନଦେଖି ୨ କୋଟିରୁ ଅଧିକ ଟଙ୍କାର ପେମେଣ୍ଟ ହୋଇଥିବା ଘଟଣା ଜଣାପଡ଼ିଥିଲା। ଏହି ଘଟଣା ପରେ ଇଓଡବ୍ଲ୍ୟୁ ପୁଣିଥରେ ଶ୍ରୀ ପ୍ରଧାନଙ୍କୁ ପଚରାଉଚରା କରିବାକୁ ଡକାଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। କିନ୍ତୁ ନିର୍ଦ୍ଧିଷ୍ଟ କେତେ ତାରିଖ ସୁଦ୍ଧା ହାଜର ହେବାକୁ ଶ୍ରୀ ପ୍ରଧାନଙ୍କୁ ଡକରା ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି। ଶ୍ରୀ ପ୍ରଧାନ କାର୍ଯ୍ୟରେ ଯୋଗ ଦେବା ବେଳକୁ କ୍ୟାସବୁକ କେଉଁଠି ଥିଲା, ଟଙ୍କା ପେମେଣ୍ଟ ସମୟରେ ସେ କେଉଁସବୁ ଦସ୍ତାବିଜ୍‌ ଦେଖିଥିଲେ ସେ ତମାମ୍‌ ଦିଗ ଉପରେ ଏବେ ପୁଣି ତଦନ୍ତ ହୋଇପାରେ। ସେପଟେ, ଏହି ଦୁର୍ନୀତି ଘଟଣାରେ କେବଳ ଯେ ଟ୍ରେଜେରି ବିଭାଗ ନୁହେଁ ବରଂ ଟ୍ରେଜେରି ନିର୍ଦ୍ଦେଶାଳୟ, ଡୁଡ଼ା(ଜିଲ୍ଲା ସହରୀ ବିକାଶ ସଂସ୍ଥା) ବିଭାଗ ଓ ଜିଲ୍ଲା ପ୍ରଶାସନର ଚରମ ଅବହେଳା ମଧ୍ୟ ସାମ୍ନାକୁ ଆସିଛି। ମ୍ୟୁନିସିପାଲଟିର ବିଲ୍‌, ପାଣ୍ଠି ଓ କାମ ସମ୍ପର୍କୀତ ମାଳମାଳ ସମୀକ୍ଷା ବୈଠକ ହେଉଥିବା ବେଳେ କିଭଳି ଏତେ ବଡ଼ ଦୁର୍ନୀତି ଅଧିକାରୀଙ୍କ ନଜରରୁ ଖସିଗଲା ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବେଲପାହାଡ଼ ମ୍ୟୁନିସିପାଲଟି ଦୁର୍ନୀତି ଘଟଣାରେ ଇଓଡବ୍ଲ୍ୟୁ ପକ୍ଷରୁ ତଦନ୍ତ ଜାରି ରହିଛି। କେବଳ ପୂର୍ବତନ ନିର୍ବାହୀ ଅଧିକାରୀଙ୍କ ସମୟରେ ନୁହେଁ ବରଂ ଏବେର ନିର୍ବାହୀ ଅଧିକାରୀ ଗୌରବ ଚନ୍ଦ୍ର ପ୍ରଧାନଙ୍କ ସମୟରେ ମଧ୍ୟ କ୍ୟାସ୍‌ବୁକ୍‌ ନଦେଖି ୨ କୋଟିରୁ ଅଧିକ ଟଙ୍କାର ପେମେଣ୍ଟ ହୋଇଥିବା ଘଟଣା ଜଣାପଡ଼ିଥିଲା।ସୂଚନାଯୋଗ୍ୟ, ମଧୁସ୍ମିତା ସିଂ ବେଲପାହାଡ଼ରେ କାର୍ଯ୍ୟରତ ଥିବା ବେଳେ ୪ କୋଟିରୁ ଊର୍ଦ୍ଧ୍ଵ ଟଙ୍କା ହେରଫେର ନେଇ ସଙ୍ଗୀନ ଅଭିଯୋଗ ହୋଇଥିଲା। ପ୍ରଥମେ ବେଲପାହାଡ଼ ପୁଲିସ ଏକ ମାମଲା ରୁଜୁ କରି ତତ୍କାଳୀନ ଆକାଉଣ୍ଟାଣ୍ଟ ବିଭୁତି ସହୁକୁ ଗିରଫ କରିଥିଲେ। ଗତ ୨୭ ତାରିଖରେ ମାମଲା ଇଓଡବ୍ଲୁ ହସ୍ତାନ୍ତର ହେବା ପରେ ୩୦ ତାରିଖରେ ସୁଶ୍ରୀ ସିଂଙ୍କୁ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଥିଲା।

ଆସିଗଲା ଚାକିରି , ଅକ୍ଟୋବର ୮ରୁ , RI, ICDS ସୁପରଭାଇଜର, ARI, ଅମିନ ପରୀକ୍ଷା

ନୂଆ ସରକାର ଆସିବା ପରେ ଆସୁଛି ପୁଣି ବମ୍ପର ଚାକିରି । ଖାଲି ଥିବା ପୋଷ୍ଟ ପୂରଣ କରିବେ ସରକାର ।  ଓଡ଼ିଶା ସବ-ଅଧୀନସ୍ଥ ସ୍ଟାଫ୍ ଚୟନ କମିଶନ (OSSSC) ଅକ୍ଟୋବର ୮ରୁ ରିଭେନ୍ୟୁ ଇନ୍ସ୍ପେକ୍ଟର (RI), ICDS ସୁପରଭାଇଜର, ଆସିଷ୍ଟାଣ୍ଟ ରିଭେନ୍ୟୁ ଇନ୍ସ୍ପେକ୍ଟର (ARI), ଅମିନ ପାଇଁ ପ୍ରିଲିମ ପରୀକ୍ଷା ଆୟୋଜନ କରିବ। ଏହି ପରୀକ୍ଷା ନଭେମ୍ବରର ୩ୟ ସପ୍ତାହ ପର୍ଯ୍ୟନ୍ତ ଚାଲିପାରେ ବୋଲି କମିଶନ ବିଜ୍ଞପ୍ତି ପ୍ରକାଶ କରିଛି।

ପୂର୍ବରୁ ଏହି ପରୀକ୍ଷାର ମେନ୍ସ ୨୦୨୫ରେ ରଦ୍ଦ ହୋଇଥିଲା ଏବଂ ହାଇକୋର୍ଟ ନିର୍ଦ୍ଦେଶ ଅନୁଯାୟୀ ନୂତନ ପ୍ରିଲିମ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ପ୍ରିଲିମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ମେନ୍ସ ଓ କମ୍ପ୍ୟୁଟର୍ ସ୍କିଲ୍ ଟେଷ୍ଟ୍ ହେବ। ପୂର୍ବରୁ ଆବେଦନ କରିଥିବା ସମସ୍ତ ଆଶାୟୀ ପରୀକ୍ଷା ଦେଇପାରିବେ। ଫଳରେ ୫ଲକ୍ଷ ୫୮ ହଜାର ୧୨୮ ଆବେଦନକାରୀ ପରୀକ୍ଷା ଦେଇପାରିବେ ବୋଲି ସ୍ପଷ୍ଟ କରାଯାଇଛି।