ଶ୍ରୀ କେଦାରନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ କରିବାକୁ ଯଦି ପ୍ଲାନ କରିଛନ୍ତି ତେବେ ଅପେକ୍ଷା କରନ୍ତୁ । ଶୀତ ଆରମ୍ଭ ହୋଇଥିବାରୁ ମନ୍ଦିର ଗର୍ଭଗୃହ କବାଟ ବନ୍ଦ ରହିଛି । ବର୍ତ୍ତମାନର ମନ୍ଦିର ସମ୍ମୁଖରେ ବରଫ ପଡ଼ିବା ଆରମ୍ଭ ହେଲାଣି । ଶୀତ ଦିନ ଆରମ୍ଭ ସହ ବରଫ ପାତ ହେଉଥିବାରୁ ବାବା କେଦାରନାଥଙ୍କ ମନ୍ଦିର ଆଗାମୀ ୬ ମାସ ଯାଏ ବନ୍ଦ ରହିବ। ସେଥିପାଇଁ ଆଜି ଭୋର ୫ଟାରୁ କେଦାରନାଥ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା। କିମ୍ବଦନ୍ତୀ ଅନୁସାରେ ଶ୍ରୀକେଦାରନାଥ ଜ୍ୟୋତିର୍ଲିଙ୍ଗ ମନ୍ଦିର ପାଣ୍ଡବମାନଙ୍କ ଦ୍ବାରା ନିର୍ମିତ ହୋଇଥିଲା । ପରିକ୍ଷିତ ମହାରାଜାଙ୍କ ପୁତ୍ର ଜନ୍ମେଜୟ ମନ୍ଦିର ଗର୍ଭଗୃହ ସମ୍ମୁଖ ମଣ୍ଡପ ନିର୍ମାଣ କରେଇଥିଲେ ।
ବର୍ତ୍ତମାନର ମନ୍ଦିର ଅଷ୍ଟମ ଶତାବ୍ଦୀରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ବାରା ନିର୍ମାଣ କରାଯାଇଥିଲା । ସମୟ କ୍ରମେ ମନ୍ଦିର ଅନେକ ଥର ପୁନଃ ମନ୍ଦିରର ଜୀର୍ଣ୍ଣ ସଂସ୍କାର କରାଯାଇଛି । ଆଜି ପ୍ରାୟ ୧୫ ହଜାର ଭକ୍ତ ବାବାଙ୍କର ଚଳିତ ବର୍ଷର ଶେଷ ଦର୍ଶନ ପାଇଁ ଏକାଠି ହୋଇଥିଲେ। ଓମ ନମଃ ଶିବାୟ ଧ୍ବନିରେ କମ୍ପି ଉଠିଥିଲା କେଦାରନା ଧାମ। ଆର୍ମିର ଯବାନ ସ୍ବତନ୍ତ୍ର ଆରତୀ ଧୁନରେ ବ୍ୟାଣ୍ଡ ବଜାଇଥିଲେ। ମନ୍ଦିରକୁ ମଧ୍ୟ ଫୁଲରେ ଅତି ଆକର୍ଷଣୀୟ ଭାବେ ସୁସଜ୍ଜିତ କରାଯାଇଥିଲା। ବରଫ ତରଳିବା ପରେ ଏପ୍ରିଲ ମାସରେ ପୁଣି ମନ୍ଦିରର କବାଟ ଖୋଲାଯିବ।