ଆସୁଛି ଅକ୍ଟୋବର ବାତ୍ୟା, ଚାଷୀଙ୍କ ମନରେ ଛନକା

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ:ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ପରିଣତ ହେବ ଓ ପରବର୍ତ୍ତି ସମୟରେ ଏହା ଏକ ଅବପାତରେ ପରିଣତ ହେବ, ଯାହାକି ବାତ୍ୟାର ରୂପ ନେଇପାରେ। ପରିସ୍ଥିତି ଉପରେ ରାଜ୍ୟ ସରକାର ତୀକ୍ଷଣ ନଜର ରଖିଛନ୍ତି। ଏନେଇ ସ୍ବତନ୍ତ୍ର ରିଲିଫ କମିସନର ଦେଓରଂଜନ କୁମାର ସିଂ ଆଜି ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ବପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି।

ଅକ୍ଟୋବର ବାତ୍ୟା ଭୟ ପୁଣି ଘାରିଛି । ପୁଣି ଆସୁଛି ବାତ୍ୟା । କଣ ହେବ କହିହେବନି । ଚାଷୀଙ୍କ ମନରେ ଭୟ ଏଥିପାଇଁ ଯେ ଧାନ ଫସଲ ଏବର୍ଷ କଣ ହେବ  ? ପୁରୀ ଜିଲ୍ଲାରେ ଦିନକୁ ଦିନ ବର୍ଷା ପରିମାଣ କମୁଛି, ପୁଣି କେତେବେଳେ ଲଗାଣ ବର୍ଷା ହେଉଛି। ଏବେ ଗଛରେ ଧାନ ପୁଡ଼ା ଧରିବା ସମୟରେ ବାତ୍ୟା ଭୟ ସମସ୍ତଙ୍କୁ ଗ୍ରାସିଛି। ଏହି ସମୟରେ ଯଦି ପାଣି ବିଲରେ ପଶେ ତେବେ ଚାଷ ନଷ୍ଟ ହୋଇଯିବ ।

ଅକ୍ଟୋବର ମାସରେ ବନ୍ୟା, ବାତ୍ୟା ଓଡ଼ିଶା ପାଇଁ କାଳ ହେଉଛି ।  ବର୍ଷାର ମୁକାବିଲା କରିବାକୁ ଚାଷୀ କଣ କରିବେ ଭାବି ପାରୁନାହାଁନ୍ତି ।  ଏଭଳି ସ୍ଥିତିରେ ଆଗକୁ ବାତ୍ୟା ଭୟ ରହିଥିବାରୁ ଚାଷୀଙ୍କୁ ପୁଣି ଚିନ୍ତା ଘାରିଛି।

ଏସ୍‌ଆରସି ଶ୍ରୀ ସିଂ କହିଛନ୍ତି ଓଡ଼ିଶା ଉପକୂଳରେ ବାତ୍ୟାର ସମ୍ଭାବନା ରହିଛି। ଯେଉଁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ଯାଇଛନ୍ତି, ସେମାନେ ସ୍ଥଳଭାଗକୁ ଶୀଘ୍ର ଫେରି ଆସନ୍ତୁ। ଆସନ୍ତା ୨୬ ତାରିଖ ଯାଏଁ ସମୁଦ୍ର ଭିତର ଯାଆନ୍ତୁ ନାହିଁ। ବାତ୍ୟା ନେଇ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି। ଆସନ୍ତାକାଲି ଜିଲ୍ଲାପାଳମାନେ ବାତ୍ୟା ଆଶ୍ରୟସ୍ଥଳୀକୁ ଯାଇ ତଦାରଖ କରିବେ। ଦୁଇ ସପ୍ତାହ ସମୟ ଥିବା ଗର୍ଭବତୀ ମହିଳାମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଗର୍ଭବତୀ ମହିଳାଙ୍କୁ ହସ୍‌ପିଟାଲ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।