ମେଟ୍ରୋ ଓଡିଶା (୨୬.୩.୨୦୨୨):
ଦୀର୍ଘ ଦୁଇ ବର୍ଷ ହେଲା ଭାରତୀୟ କ୍ରିକେଟ ପ୍ରେମୀ କରିଥିବା ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। କାରଣ ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବା ଆଇପିଏଲର ୧୫ତମ ସଂସ୍କରଣ। ଏଥିପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳା ଯିବାକୁ ଥିବା ଏହି ମ୍ୟାଚ୍ ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ। ସେହିପରି କରୋନା ଯୋଗୁ ଦୁଇ ବର୍ଷର ବ୍ୟବଧାନ ପରେ ଆଇପିଏଲ ଭାରତକୁ ଫେରିଛି। ସେହିପରି ୨୫% ଦର୍ଶକ ମଧ୍ୟ ଷ୍ଟାଡିୟମରେ ମ୍ୟାଚ୍ ଦେଖିବାକୁ ଯାଇପାରିବେ। ଏହାକୁ ନେଇ କ୍ରିକେଟ ଫ୍ୟାନମାନେ ମଧ୍ୟ ବେଶ ଉତ୍ସାହିତ ଅଛନ୍ତି।ଚେନ୍ନାଇ କଥା ବିଚାରକୁ ନେଲେ ଦଳରେ ଫାଫ ଡୁପ୍ଲେସିସି, ଶାର୍ଦ୍ଦୁଲ ଠାକୁର ଓ ଜୋଶ ହେଜେଲଉଡ ନାହାନ୍ତି। ସେହିପରି ଦୀପକ ଚହରଙ୍କୁ ଚେନ୍ନାଇ କିଣିଥିଲେ ମଧ୍ୟ ଆହତ ଯୋଗୁ ସେ ମ୍ୟାଚ୍ ଖେଳିପାରିବେ ନାହିଁ।

ତେଣୁ ଏମାନଙ୍କ ଅଭାବ ଦଳ ନିଶ୍ଚିତ ଅନୁଭବ କରିବ। ତେବେ ଦଳ ପାଖରେ ଡେଭୋନ କନୱେ ଓ ଆଡାମ ମିଲନଙ୍କ ଭଳି ନୂଆ ମୁହଁ ଏଥର ସାମିଲ ହୋଇଛନ୍ତି। ଏଥିସହ ମହେନ୍ଦ୍ର ସିଂହ କ୍ୟାପ୍ଟେନ ପଦ ଛାଡ଼ିଥିଲେ ମଧ୍ୟ ଦଳ ପାଖରେ ରହିଛନ୍ତି। ଏମାନଙ୍କ ବ୍ୟତୀତ ଋତୁରାଜ ଗାଏକ୍ୱାଡ, ଅମ୍ବାତି ରାୟୁଡୁ ଓ ଡ୍ୱେନ ବ୍ରାଭୋଙ୍କ ଭଳି ଅଭିଜ୍ଞ ଖେଳାଳି ଚେନ୍ନାଇ ପାଖରେ ଅଛନ୍ତି। ମୋଇନ ଅଲୀ ପ୍ରଥମ ମ୍ୟାଚ୍ ଖେଳିବେ ନାହିଁ। ତେଣୁ ଜାଡେଜାଙ୍କ ଚୂଡ଼ାନ୍ତ ଏକାଦଶ କେମିତି ରହୁଛି, ତା’ ଉପରେ ସମସ୍ତଙ୍କ ନଜର।ଅନ୍ୟପକ୍ଷରେ କେକେଆର ଶ୍ରେୟସ ଆୟରଙ୍କୁ ୧୨.୨୫ କୋଟି ଟଙ୍କା ଦେଇ କିଣିଥିଲା। ଏହାପରେ ଇଓନ ମୋର୍ଗାନଙ୍କ ବଦଳରେ ତାଙ୍କୁ କ୍ୟାପ୍ଟେନ କରାଯାଇଛି। ତାଙ୍କୁ ନେତୃତ୍ୱରେ କେକେଆର ୨୦୨୨ ଆଇପିଏଲ ଖେଳିବ। ପୂର୍ବରୁ ଦଳ ପାଖରେ ଥିବା ଶୁବମନ ଗିଲ, ଲକି ଫର୍ଗୁସନ, ରାହୁଲ ତ୍ରିପାଠୀ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଭଳି ଖେଳାଳି ନାହାନ୍ତି। କିନ୍ତୁ ଦଳ ସହ ଭେଙ୍କଟେଶ ଆୟର, ସୁନୀଲ ନାରିନ ଓ ନୀତୀଶ ରାଣା ଅଛନ୍ତି। ଆନ୍ଦ୍ରେ ରସେଲଙ୍କୁ ମଧ୍ୟ କେକେଆର ନିଲାମ ପୂର୍ବରୁ ରିଟେନ କରିଥିଲା।