ମେଟ୍ରୋ ଓଡ଼ିଆ (୨୪.୩.୨୦୨୨):
ଅଧିନାୟକ ପଦରୁ ଓହରି ଯାଇଛନ୍ତି କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନୀ । ଗୁରୁବାର କ୍ୟାପଟେନ୍ସି ଛାଡୁଥିବା ନେଇ ଧୋନୀ ଘୋଷଣା କରିଥିବା ବେଳେ ଜାଡେଜାଙ୍କ ମୁଣ୍ଡରେ ହାତୀ ସୁନାକଳସ ଢାଳିଛି । ଜାଡେଜା ଚେନ୍ନାଇ ସୁପର କିଙ୍ଗସର ନେତୃତ୍ୱ ନେବାକୁ ଯାଉଥିବା ବେଳେ ଧୋନୀ କିନ୍ତୁ ଚଳିତ ସିଜିନରେ ଦଳର ପ୍ରମୁଖ ଖେଳାଳି ଭାବରେ ରହିବେ ।

ଚଳିତ ମେଗା ଅକ୍ସନ୍ ପୂର୍ବରୁ ଜାଡେଜାଙ୍କୁ ସିଏସକେ ଫ୍ରାଞ୍ଚାଇଜି ୧୬ କୋଟି ଟଙ୍କାରେ ରିଟେନ୍ କରିବା ପରେ ସେ ଅଧିନାୟକ ହେବା ନେଇ ପୂର୍ବାନୂମାନ କରାଯାଉଥିଲା ।ସମସ୍ତ ଅନୁମାନକୁ ସଠିକ୍ ପ୍ରମାଣିତ କରିବା ସହିତ ଗୁରୁବାର ଧୋନୀ ନିଜ ପଦରୁ ଓହରି ଯାଇଥିଲେ । ଚେନ୍ନାଇକୁ ୨୦୧୦, ୨୦୧୧, ୨୦୧୮ ଏବଂ ୨୦୨୧ରେ ଟାଇଟଲ ବିଜୟୀ କରିଥିବା ଧୋନୀଙ୍କ ବିଜୟ ପ୍ରତିଶତ ୫୯.୬ ରହିଛି । ଧୋନୀଙ୍କ ନେତୃତ୍ୱରେ ଦଳ ୧୨୧ ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୮୨ଟି ମ୍ୟାଚରେ ପରାଜିତ ହୋଇଛି ।