ହିଜବୁଲ୍ଲାକୁ ଶେଷ କରିବା ପାଇଁ ଇସ୍ରାଏଲ୍ ସେନା ନିଷ୍ପତ୍ତି : ପ୍ରଧାନମନ୍ତ୍ରୀଙ୍କ ଜରୁରୀ ସୁରକ୍ଷା ବୈଠକ

ଆତଙ୍କବାଦୀଙ୍କୁ ଶେଷ କରିବାକୁ ନିଷ୍ପତ୍ତି ନେଇଛି ଇସ୍ରାଏଲ । ସେପଟେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି ।  ହିଜବୁଲ୍ଲାକୁ ଶେଷ କରିବା ଲାଗି ଇସ୍ରାଏଲ୍ ସେନା ନିଷ୍ପତ୍ତି ପରେ ସାରା ବିଶ୍ବରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଇସ୍ରାଏଲ୍ ଦକ୍ଷିଣ ଲେବାନନର ୩୫ ଗାଁର ଲୋକଙ୍କୁ ତୁରନ୍ତ ସେମାନଙ୍କ ଘର ଛାଡିବାକୁ କହିଛି। ଇସ୍ରାଏଲର ସେନା ମୁଖପାତ୍ର ଲୋକମାନଙ୍କୁ ତୁରନ୍ତ ଘର ଖାଲି କରି ଆୱାଲି ନଦୀର ଉତ୍ତର ଦିଗକୁ ଯିବାକୁ କହିଛନ୍ତି।

ଇସ୍ରାଏଲ୍ ସେନା ମୁଖପାତ୍ର ଅଭିଚାଇ ଆଣ୍ଡ୍ରାଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି। ଏଥିରେ ଲେଖା ଅଛି ଯେ ଯେଉଁମାନେ ହିଜବୁଲ୍ଲା ଶିବିର ଏବଂ ଯୁଦ୍ଧ ସାମଗ୍ରୀ ନିକଟରେ ଅଛନ୍ତି, ସେମାନେ ତାଙ୍କ ଜୀବନକୁ ବିପଦରେ ପକାଉଛନ୍ତି। ସେ ଆହୁରି ଲେଖିଛନ୍ତି, ଦକ୍ଷିଣ ଅଞ୍ଚଳରେ ଆମର ଯେକୌଣସି କାର୍ଯ୍ୟକଳାପ ଆପଣଙ୍କ ଜୀବନକୁ ବିପଦରେ ପକାଇପାରେ। ଏଭଳି ପରିସ୍ଥିତିରେ ଲୋକମାନେ ଏହିସବୁ ସ୍ଥାନ ଖାଲି କରିବା ଉଚିତ୍।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମ ଏସିଆ ସଙ୍କଟକୁ ନେଇ ବୈଠକ କରିଛନ୍ତି ।  ସରକାରଙ୍କ ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା – ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍ କମିଟିର ଏକ ଜରୁରୀ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କୁ ନେଇ ଗଠିତ ଏହି କମିଟି ମଧ୍ୟପ୍ରାଚ୍ୟ ସଂକଟ ଓ ଇସ୍ରାଏଲ ଉପରେ ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ ଉପରେ ବିସ୍ତୃତ ଆଲୋଚନା କରିଥିଲା।

ପଶ୍ଚିମ ଏସିଆରେ ଘଟୁଥିବା ସାମ୍ପ୍ରତିକ ଚିନ୍ତାଜନକ ଘଟଣାକ୍ରମ ଓ ତା’ର ପ୍ରଭାବ ଉପରେ କମିଟିରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ମଧ୍ୟରେ ବାଣିଜ୍ୟ, ସାମୁଦ୍ରିକ ପରିବହନ ଓ ତୈଳ ଆଦିର ଯୋଗାଣ ଶୃଙ୍ଖଳା ଉପରେ ଯୁଦ୍ଧର ପ୍ରଭାବ ବିଷୟରେ ଆଲୋଚନା କରାଯାଇଥିଲା। ଏହି ସଂଘର୍ଷରେ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ତୁରନ୍ତ କୂଟନୀତି ଓ ଆଲୋଚନା ମାଧ୍ୟମରେ ସମସ୍ତ ସମସ୍ୟାର ସମାଧାନ କରିବାକୁ ଭାରତ ଅନୁରୋଧ କରିଛି। ଇରାନ ଓ ଇସ୍ରାଏଲ ମଧ୍ୟରେ ତୀବ୍ର ଉତ୍ତେଜନା ଯୋଗୁଁ ଭାରତ ଲୋହିତ ସାଗର ଓ ଆଡେନ୍ ଉପସାଗରୀୟ ମାର୍ଗରେ ବ୍ୟାପକ ବାଣିଜ୍ୟିକ ବାଧାର ସମ୍ମୁଖୀନ ହେବାକୁ ଯାଉଛି। ଲେବାନନ୍‌ର ଇରାନ ସମର୍ଥିତ ହେଜବୁଲ୍ଲା ଆତଙ୍କବାଦୀମାନେ ୟେମେନର ହୁତି ବିଦ୍ରୋହୀଙ୍କ ସହ ଘନିଷ୍ଠ ସମ୍ପର୍କ ରଖିଥିବାରୁ ହୁତିମାନେ ସେମାନଙ୍କ ସମର୍ଥନରେ ଲୋହିତ ସାଗର ଓ ଆଡେନ୍ ଉପସାଗର ଦେଇ ମାଲ ପରିବହନ କରୁଥିବା ବାଣିଜ୍ୟିକ ଜାହାଜ ଓ ଅନ୍ୟ ଜାହାଜ ଉପରେ ଆକ୍ରମଣ କରୁଛନ୍ତି।