ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚକୁ ନେଇ ପୁରୀ ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ

ଶ୍ରୀ ମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ବିଷୟରେ କୌଣସି ମତାମତ ନିଆଯାଉନାହିଁ  । ମୋତେ ଅଣଦେଖା କରାଯାଉଛି ।ସାଧୁସନ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ । ସାଧାରଣ ଭକ୍ତଙ୍କ ପରି ସାଧୁସନ୍ଥମାନେ ମଧ୍ୟ ଭିଡ଼ରେ ଯାଇ ଦର୍ଶନ କରୁଛନ୍ତି ବୋଲି କହିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ । ଆଜି ଜଗତଗୁରୁ ଚତୁଃମାସିଆ ବ୍ରତ ସମ୍ପନ୍ନ କରି ପତିତପାବନ ଦର୍ଶନ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି । ପରମ୍ପରା ଅନୁସାରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ବ୍ରତ ସମୟରେ ଗୋବର୍ଦ୍ଧନ ମଠରୁ ବାହାରକୁ ବାହାରନ୍ତି ନାହିଁ । ମାତ୍ର ବ୍ରତ ସାରିବା ପରେ ଗୋବାର୍ଦ୍ଧନ ମଠରୁ ବାହାରି ବାଲିସାହି ରାସ୍ତା ଦେଇ ସେ ସିଂହଦ୍ୱାର ନିକଟରେ ପହଞ୍ଚି ପତିତପାବନଙ୍କୁ ଦର୍ଶନ କରି ଆଶିଷ ଲାଭ କରିଛନ୍ତି । ପତିତପାବନ ଦର୍ଶନ କରିବା ପରେ ସେ ପଞ୍ଚଗୋଟି ଗୋଶାଳା, ମା ବାଟମଙ୍ଗଳା ଦର୍ଶନ କରି ମହୋଦଧି ଆଳତି କରିଛନ୍ତି ।ସେପଟେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୁଧବାର ଦିନ ଲେଜର ସ୍କାନିଂ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ବିଶେଷଜ୍ଞ ଟିମ୍‌ର ସଦସ୍ୟଙ୍କ ଦ୍ବାରା ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ କରାଯାଇଛି। ଏଏସ୍‌ଆଇ ଏଡିଜି ଜାନଭିଜ୍‌ ଶର୍ମାଙ୍କ ନେତୃତ୍ବରେ ରତ୍ନଭଣ୍ଡାର ଲେଜର ସ୍କାନିଂ କରାଯାଇଛି । ଏହି ଟିମ୍‌ରେ ୧୭ ଜଣ ସଦସ୍ୟ ଥିଲେ।