ମେଟ୍ରୋ ଟିଭି ଓଡିଶା (୧୬ .୩ . ୨୦୨୨) :
ଓଡ଼ିଶା ମଧ୍ୟ ଦେଇ ଗତି କରୁଥିବା ସମସ୍ତ ତିନି ରେଳଜୋନ ନେଟୱାର୍କକୁ ଗୋଟିଏ ଜୋନ ଅଧୀନରେ ଆଣିବାକୁ ଲୋକସଭାରେ ବିଜେଡି ଦାବି ଉପସ୍ଥାପନ କରିଛି। ଲୋକସଭାରେ ରେଳ ବ୍ୟୟମଞ୍ଜୁରୀ ଆଲୋଚନାରେ ବିଜେଡି ତରଫରୁ ଅଂଶଗ୍ରହଣ କରି କଟକ ସାଂସଦ ଭର୍ତ୍ତୃହରି ମହତାବ କହିଥିଲେ ଯେ ରାଜ୍ୟର ଭୌଗଳିକ ପରିସୀମା ଆଧାରରେ ନିକଟରେ ଅନ୍ୟ ଏକ ରାଜ୍ୟରେ ନୂତନ ରେଳ ଜୋନ ସ୍ଥାପନ ନେଇ ଘୋଷଣା ହୋଇଛି। ରାଜ୍ୟର ପରିସୀମା ଆଧାରରେ ନୂତନ ରେଳଜୋନ ସ୍ଥାପନ ବିଷୟରେ ବିଜେଡିର କୌଣସି ଆପତ୍ତି ନାହିଁ ଦର୍ଶାଇ ଓଡ଼ିଶାର ସମସ୍ତ ରେଳନେଟୱାର୍କଗୁଡ଼ିକୁ ଗୋଟିଏ ଜୋନ ଅଧୀନରେ ରଖିବାକୁ ପ୍ରସ୍ତାବ ଦେଇଥିଲେ।

ସେହିପରି ନୂତନ ରେଳ ଡିଭିଜନ ସ୍ଥାପନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୂର୍ବ ଚିଠି ଅନୁଯାୟୀ ରାୟଗଡ଼଼ା, ଝାରସୁଗୁଡ଼ା ଓ ଯାଜପୁର-କେନ୍ଦୁଝର ରୋଡ୍ଠାରେ ନୂତନ ରେଳ ଡିଭିଜନ ସ୍ଥାପନ ଲାଗି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କଟକ, କେନ୍ଦ୍ରାପଡ଼ା, ଜଗତସିଂପୁର ଜିଲାରେ ବସବାସ କରୁଥିବା ଶିଖ ଯାତ୍ରୀଙ୍କ ସୁବିଧା ପାଇଁଁ କଟକ-ଅମୃତସର ମଧ୍ୟରେ ସିଧାସଳଖ ଯାତ୍ରୀବାହୀ ଟ୍ରେନ ଚଳାଚଳ ଏବଂ ରେଳ ଟ୍ରାଫିକ ଭିଡ଼କୁ ଦୃଷ୍ଟିରେ ରଖି କଟକ-ହାଓଡ଼ା ଓ କଟକ-ଭୁବନେଶ୍ୱର ରେଳରୁଟରେ ତୃତୀୟ ଲାଇନ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ। ଏଥିପାଇଁ ମହାନଦୀ, ବିରୁପା, କାଠଯୋଡ଼ି ଓ କୁଆଖାଇ ନଦୀ ଉପରେ ତୃତୀୟ ରେଳପୋଲ ନିର୍ମାଣ ପାଇଁ ଦାବି କରିଥିଲେ। ବଜେଟରେ ନୂତନ ପ୍ରକଳ୍ପ ନିର୍ମାଣ ଲାଗି ବ୍ୟୟ ବରାଦ ପରେ ସଂଶୋଧିତ ବ୍ୟୟ ଅଟକଳରେ ଅନୁଦାନ ରାଶି ହ୍ରାସ ନେଇ ସାଂସଦ ମହତାବ ଚିନ୍ତା ପ୍ରକଟ କରିଛନ୍ତି।

ଶ୍ରୀ ମହତାବ ଦର୍ଶାଇଥିଲେ ଯେ ବଡ଼ଧରଣର ବ୍ୟୟବରାଦ ହେଉଥିଲେ ମଧ୍ୟ ଅନୁଦାନ ରାଶି ରେଳବାଇ ଖର୍ଚ୍ଚ କରିପାରୁନାହିଁ। ବଜେଟରେ ଓଡ଼ିଶା ରାଜ୍ୟ ସର୍ବାଧିକ ଅନୁଦାନ ପାଇଥିବାରୁ ଅନୁଦାନ ରାଶି କିପରି ଖର୍ଚ୍ଚ ହୋଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ କହିଥିଲେ।