ଭଣ୍ଡାର ଯାଞ୍ଚ ନିମନ୍ତେ ଏଏସ୍ଆଇକୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ଶ୍ରୀମନ୍ଦିର ଭିତର ଓ ବାହାର ରତ୍ନଭଣ୍ଡାର ଭିତରେ ରହିଥିବା ଖାଲି ସିନ୍ଦୁକ ଓ ଆଲମିରାକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ଦିନ ୨ଟାରେ ଏହି କାମ ଆରମ୍ଭ ହୋଇ ଅପରାହ୍ନ ୪.୫୦ରେ ଶେଷ ହୋଇଥିଲା । ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା । ୧୨ ଜଣିଆ କମିଟି ଓ ସେବା ଥିବା ସେବାୟତ ଏହି ସମୟରେ ଉପସ୍ଥିତ ଥିଲେ । ଶ୍ରୀମନ୍ଦିର ନୀଳାଦ୍ରି ମ୍ୟୁଜିୟମ ପାଶ୍ୱର୍ ଏକ କୋଠରୀକୁ ବିଭକ୍ତୀକରଣ କରାଯାଇ ଭିତର ଓ ବାହାର ଭଣ୍ଡାରରୁ ବାହାରିଥିବା ଖାଲି ଆଲମିରା ଏବଂ ସିନ୍ଦୁକ ଅଲଗା କରି ରଖାଯାଇଛି । ଜିଲ୍ଲା ମାଜିଷ୍ଟ୍ରେଟ୍ ବା ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି କୋଠରୀରେ ୨ଟି ତାଲା ପକାଇ ସିଲ୍ କରାଯାଇଛି । ଏହାର ଚାବି ଶ୍ରୀମନ୍ଦିର ପ୍ରଶାସନ ନିଜ ହେପାଜତରେ ରଖିଛି ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ବାହାର ରତ୍ନଭଣ୍ଡାରରୁ ସମସ୍ତ ଆଲମିରା ଓ ସିନ୍ଦୁକ ଖାଲି କରାଯିବା ପରେ ଭିତର ରତ୍ନଭଣ୍ଡାରରୁ ସମସ୍ତ ଆଲମିରା ଓ ସିନ୍ଦୁକ ବାହାର କରାଯାଇଥିଲା । ଆଜି ହିଁ ଭାରତୀୟ ପ୍ରତ୍ନତତ୍ତ୍ୱ କର୍ତ୍ତୃପକ୍ଷଙ୍କୁ ରତ୍ନଭଣ୍ଡାର ପୂର୍ଣ୍ଣ ଯାଞ୍ଚ କରିବା ନିମନ୍ତେ ଚିଠି ଲେଖାଯାଇଛି । ଭାରତୀୟ ପ୍ରତ୍ନତତ୍ତ୍ୱ କର୍ତ୍ତୃପକ୍ଷ ମାର୍ଗଦର୍ଶିକା ଅନୁଯାୟୀ ଲେଜର ସ୍କାନିଂ ଓ ଜିଓ-ଫିଜିକାଲ ସର୍ଭେ କରିବେ । ପରେ ଆବଶ୍ୟକ ମରାମତି ଓ ସଂରକ୍ଷଣ କାର୍ଯ୍ୟ କରିବେ । ମରାମତି ସରିବା ପରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍ରୁ ରତ୍ନଭଣ୍ଡାରକୁ ସମସ୍ତ ରତ୍ନଅଳଙ୍କାର ନିଆଯିବା ପରେ ସେଠାରେ ଗଣତିମଣତି ଆରମ୍ଭ ହେବ ।