କେବେ ହେବ ରତ୍ନଭଣ୍ଡାର ମରାମତି ?
ରତ୍ନଭଣ୍ଡାର ଖୋଲାଯାଇ ଦୁଇଟି ପର୍ଯ୍ୟାୟରେ ଅଳଙ୍କାର ସ୍ଥାନାନ୍ତରଣକୁ କିଛିଦିନ ପରେ ମାସେ ପୂରିଯିବ ।ଆଗେଇ ପାରିନି ଭଣ୍ଡାର ଗୃହ ମରାମତି କି ଅଳଙ୍କାର ଗଣତି ପ୍ରକ୍ରିୟା । କାରଣ ଏଥିରେ ବାଧକ ସାଜିଛି, ଗୁପ୍ତ କୋଠରୀ ଓ ସୁଡ଼ଙ୍ଗ ଥିବା ଚର୍ଚ୍ଚା । ଯଦିଓ ଏହା ଜାଣିବାକୁ ଭିତର ଭଣ୍ଡାର ଲେଜର ସ୍କାନିଂ ପାଇଁ ଅଳଙ୍କାର ତଦାରଖ କମିଟି ସରକାରଙ୍କୁ ପ୍ରସ୍ତାବ ଦେଇଛି । ହେଲେ ସେନେଇ ନିଷ୍ପତ୍ତିରେ ବିଳମ୍ବକୁ ନେଇ ବିଭିନ୍ନ ମହଲରେ ଉଠିଛି ପ୍ରଶ୍ନ । ତେଣେ ଆଇନମନ୍ତ୍ରୀ କହିଛନ୍ତି- ସିନ୍ଦୁକ, ଆଲମାରୀ ଏସଓପି ନିଷ୍ପତ୍ତି ହୋଇଛି, ଖୁବଶୀଘ୍ର ମରାମତି ଆରମ୍ଭ ହେବ।ଅଳଙ୍କାର ସ୍ଥାନନ୍ତର ବି ସରିଲା, ତଥାପି କାହିଁକି ଏଏସ୍ଆଇକୁ ହସ୍ତାନ୍ତର ହେଉନି ଶ୍ରୀମନ୍ଦିର ରତ୍ନଭଣ୍ଡାର ? କିଏ ଓ କାହିଁକି ଅବଲମ୍ବନ କରୁଛି ଟାଳଟୁଳ ନୀତି ? ରତ୍ନଭଣ୍ଡାର ଭିତରେ ଆହୁରି ଅଧିକ କୋଠରୀ ଓ ଗୁପ୍ତ ସୁଡଙ୍ଗ ଥିବା ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇବାକୁ ଅଳଙ୍କାର ତଦାରଖ ହାଇଲେବଲ କମିଟି, ଅତ୍ୟାଧୁନିକ ଉପାୟ ଅବଲମ୍ବନ କରିବାକୁ ରାଜ୍ୟ ସରକାରଙ୍କୁ ଗତ ୫ ତାରିଖରୁ ପ୍ରସ୍ତାବ ଦେଇ ସାରିଲାଣି, ହେଲେ ରତ୍ନଭଣ୍ଡାର ଭିତର ରହସ୍ୟ ଭେଦିବାରେ ବେଳକୁ ବେଳ ବିଳମ୍ବ ହେବାରେ ଲାଗିଛି । ଯାହାକୁ ନେଇ ବୁଦ୍ଧିଜୀବୀ ଓ ଜଗନ୍ନାଥ ଭକ୍ତ ବି ପ୍ରଶ୍ନ ଉଠାଇଲେଣି ।୨ଶହ ବର୍ଷ ଭିତରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ମରାମତି ହୋଇଥିବା ନଜିର ନାହିଁ ବୋଲି ସ୍ପଷ୍ଟ ଭାବେ କହିଛନ୍ତି ଶ୍ରୀମନ୍ଦିର ଗବେଷକ ଭାସ୍କର ମିଶ୍ର କହିଛନ୍ତି, ଶେଷଥର ପାଇଁ ୧୯୦୯ ମସିହାରେ ସଂମ୍ପୂର୍ଣ୍ଣ ରତ୍ନଭଣ୍ଡାର ଖାଲି ହୋଇଥିଲା ଓ ବେହରଣ ଦ୍ୱାର ପାଖରେ ଅଳଙ୍କାର ସବୁ ସଫା ହୋଇ ପୁଣି ଯଥାସ୍ଥାନରେ ରଖାଯାଇଥିଲା । ୧୯୭୮ ମସିହାରେ ଅଳଙ୍କାର ଗଣତି ଓ ମରାମତି ବେଳେ ବି ଭଣ୍ଡାର ଘର ମରାମତି ହୋଇନି । ତେବେ ରତ୍ନଭଣ୍ଡାର ଭିତରେ ଅଧିକ କୋଠରୀ ଓ ସୁଡ଼ଙ୍ଗ ଥିବା କଥା କୌଣସିଠାରେ ଉଲ୍ଲେଖ ନାହିଁ ବୋଲି ବି ସ୍ପଷ୍ଟ କରିଛନ୍ତି ଭାସ୍କର ମିଶ୍ର ।ତେଣେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମକୃଷ୍ଣ ଦାସ ମହାରାଜା କହିଛନ୍ତି- ପ୍ରଥମେ ରତ୍ନଭଣ୍ଡାର ଭିତରେ ଥିବା ସିନ୍ଦୁକ ଓ ଆଲମିରା ସବୁକୁ ନୀଳାଦ୍ରି ମ୍ୟୁଜିୟମକୁ ସ୍ଥାନାନ୍ତର କରାଯିବ । ତାପରେ ଯଇ ଭାରତୀୟ ପ୍ରତ୍ନତାତ୍ତ୍ବିକ ବିଭାଗକୁ ଭଣ୍ଡାର ଘର ହସ୍ତାନ୍ତର କରାଯିବ । ଆଇନମନ୍ତ୍ରୀ ବି କହିଲେଣି- ସିନ୍ଦୁକ, ଆଲମାରୀ ସ୍ଥାନାନ୍ତର ଏସଓପି ଉପରେ ସରକାର ନିଷ୍ପତ୍ତି ନେଇ ସାରିଛନ୍ତି । ସେ କାମ ସରିଲେ ରତ୍ନଭଣ୍ଡାର ମରାମତି ଆରମ୍ଭ ହେବ । ଆଉ ଏଭଳି ସ୍ଥିତିରେ ଐତିହ୍ୟ ବିଶେଷଜ୍ଞଙ୍କ ମତ, ଏଏସଆଇ ଭିତର ରତ୍ନଭଣ୍ଡାରର ମରାମତି ଉପଠାଉରିଆ ନକରି ଦୀର୍ଘସ୍ଥାୟୀ କରୁ ।