ମାଡ଼ି ଆସୁଛି ଭୀଷଣ ତାତି: ରାଜ୍ୟରେ ୪୦ ଡିଗ୍ରି ଛୁଇଁବ ତାପମାତ୍ରା
ମେଟ୍ରୋଓଡିଶା(୧୩.୩.୨୦୨୨):
ଆସନ୍ତା ଦୁଇ ଦିନରେ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରି ଛୁଇଁବ ବୋଲି ଆକଳନ କରାଯାଇଛି । ରାଜ୍ୟର ସର୍ବାଧିକ ତାପମାତ୍ରା ୩୭ଡିଗ୍ରି ଉପରେ ରହୁଥିବା ବେଳେ ଆସନ୍ତା ୨ଦିନ ଭିତରେ ଆଉ ୩ଡିଗ୍ରି ପର୍ୟ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବ। ମାର୍ଚ୍ଚ ୧୫ ତାରିଖରେ ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ଅନୁଗୁଳର କିଛି ସ୍ଥାନରେ ଓ ୧୬ ତାରିଖରେ ଏହି ୪ ଜିଲ୍ଲା ସମେତ ନୟାଗଡ଼ ଓ ଖୋର୍ଦ୍ଧାରେ ଭୀଷଣ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ରହିଛି । ତେଣୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହି ସମୟରେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

ଆକଳନ କରାଯାଉଛି ଯେ ଉପକୂଳ ଜିଲ୍ଲାରେ ଆସନ୍ତା ୪ ଦିନରେ ସର୍ବାଧିକ ତାପମାତ୍ରା ପ୍ରାୟ ୪ଡିଗ୍ରି ବଢ଼ିବ। ଆସନ୍ତା ୧୬ ତାରିଖରେ ଭୁବନେଶ୍ବରରେ ପାରଦ ୪୦ ଡିଗ୍ରି ଛୁଇଁପାରେ। ପାଣିପାଗ ବିଶେଷଜ୍ଞଙ୍କ କହିବାନୁସାରେ, ବର୍ତ୍ତମାନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ଆସନ୍ତା ସପ୍ତାହରେ ଆହୁରି ବଢ଼ିବ। ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଅପେକ୍ଷାକୃତ ଅଧିକ ଗରମ ହେବ। ରାଜ୍ୟକୁ ଉତ୍ତର-ପଶ୍ଚିମ ଭାରତ ଓ ସଂଲଗ୍ନ ପାକିସ୍ତାନ ଆଡ଼ୁ ପବନ ବୋହୁଛି। ଆସନ୍ତାକାଲିଠାରୁ ସେଠି ତାପମାତ୍ରା ବିଶେଷ ଭାବେ ବଢ଼ିବ। ଏଣୁ ସେଠୁ ଗରମ ଓ ଶୁଷ୍କ ପବନ କେନ୍ଦ୍ରୀୟ ଭାରତ ଦେଇ ରାଜ୍ୟକୁ ଆସିବାରୁ ରାଜ୍ୟରେ ଗରମ ବଢ଼ିବ ବୋଲି ଡ. ପଶୁପାଳକ ପୂର୍ବାନୁମାନ କରିଛନ୍ତି।