ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ୧ନଂ ସ୍ଥାନରେ ରବୀନ୍ଦ୍ର ଜାଡେଜା

ravindra-jadeja-number-one-test-all-rounder

ମେଟ୍ରୋ ଓଡିଶା (୯ .୩ . ୨୦୨୨):

ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ କରିଥିବା ରବୀନ୍ଦ୍ର ଜାଡେଜା ବଡ଼ ସମ୍ମାନ ପାଇଛନ୍ତି। ଆଜି ଆଇସିସି ପକ୍ଷରୁ ଜାରି ଟେଷ୍ଟ ରାଙ୍କିଙ୍ଗର ଅଲରାଉଣ୍ଡର ତାଲିକାର ୧ନଂ ସ୍ଥାନରେ ରବୀନ୍ଦ୍ର ଜାଡେଜା ପହଞ୍ଚି ଯାଇଛନ୍ତି। ମୋହାଲି ଟେଷ୍ଟ ମ୍ୟାଚରେ ରବିନ୍ଦ୍ର ଜାଦେଜା ୯ ୱିକେଟ୍ ନେବା ବ୍ୟତୀତ ପ୍ରଥମ ଇନିଂସରେ ଅପରାଜିତ ୧୭୫ ରନ୍ କରିଥିଲେ। ମ୍ୟାଚ୍ ପୂର୍ବରୁ ରବୀନ୍ଦ୍ର ଜାଦେଜା ର଼୍ୟାଙ୍କିଙ୍ଗରେ ୩ନମ୍ବର ସ୍ଥାନରେ ରହିଥିବା ବେଳେ ଆଜି ସେ ନମ୍ବର ୧ସ୍ଥାନକୁ ଯାଇଛନ୍ତି । ମୋହାଲିରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ପରେ ହିଁ ରବିନ୍ଦ୍ର ଜାଡେଜାଙ୍କୁ ବର୍ତ୍ତମାନର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଭାବେ ୧ନମ୍ବର ସ୍ଥାନ ମିଳିଛି। ରବିନ୍ଦ୍ର ଜାଦେଜା ଏହା ପୂର୍ବରୁ ମଧ୍ୟ ଟେଷ୍ଟ ଅଲରାଉଣ୍ଡର ର଼୍ୟାଙ୍କିଙ୍ଗରେ ନମ୍ବର ୧ରେ ରହିସାରିଛନ୍ତି। ୨୦୧୭ ମସିହାରେ ରବିନ୍ଦ୍ର ଜାଦେଜା ସର୍ବଦଳୀୟ ର଼୍ୟାଙ୍କିଙ୍ଗରେ ଶୀର୍ଷରେ ପହଞ୍ଚିଥିଲେ, ସେତେବେଳେ ତାଙ୍କର ୪୩୮ ପଏଣ୍ଟ ଥିଲା। ଦୀର୍ଘ ସମୟ ପରେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ମାନ୍ୟତାରେ ବୃଦ୍ଧି ଘଟିଛି।

ଅନ୍ୟପକ୍ଷରେ ମୋହାଲିରେ ଶତକୀୟ ଟେଷ୍ଟ୍‌ ଖେଳୁଥିବା ପୂର୍ବ ଅଧିନାୟକ ବିରାଟ କୋହଲି ଟେଷ୍ଟ ର଼୍ୟାଙ୍କିଙ୍ଗରେ ଦୁଇ ପାଦ ଆଗକୁ ଆସିଥିବା ଦେଖାଯାଇଛି। ବିରାଟ କୋହଲି ବ୍ୟାଟ୍ସମ୍ୟାନଙ୍କ ଟେଷ୍ଟ ର଼୍ୟାଙ୍କିଙ୍ଗରେ ଦୁଇଟି ସ୍ଥାନ ଉପରକୁ ଉଠିଛନ୍ତି, ସେ ବର୍ତ୍ତମାନ ପଞ୍ଚମ ସ୍ଥାନରେ ଅଛନ୍ତି। ତାଙ୍କ ପରେ ଟିମ୍ ଇଣ୍ଡିଆର ନୂତନ ଟେଷ୍ଟ ଅଧିନାୟକ ରୋହିତ ଶର୍ମା ଷଷ୍ଠ ସ୍ଥାନରେ ଅଛନ୍ତି। ବର୍ତ୍ତମାନ ତିନିଜଣ ଭାରତୀୟ ବ୍ୟାଟ୍ସମ୍ୟାନ୍ ଶ୍ରେଷ୍ଠ ୧୦ରେ ରହିଥିବା ଦେଖାଯାଇଛି। ବିରାଟ ଓ ରୋହିତଙ୍କ ସହ ରିଷଭ ପନ୍ତ ଦଶମ ସ୍ଥାନରେ ରହିଥିବା ଦେଖାଯାଇଛି।