ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ୧୦୧୯ କୋଟି ଟଙ୍କାର ପିସି
ସଙ୍ଗୀନ ଅଭିଯୋଗ ଆଣିଛି କଂଗ୍ରେସ । ପଂଚାୟତଠୁ ଆରମ୍ଭ କରି ଲୋକସେବା ଭବନ ପର୍ଯ୍ୟନ୍ତ ଚାଲିଛି ପିସି କାରବାର । କେବଳ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ୧୦୧୯କୋଟି ଟଙ୍କାର ପିସି କାରବାର ହୋଇଛି । ଆଉ ଏହି ପିସିରୁ ଆଦାୟ ହୋଇଥିବା ଟଙ୍କା ବିଜେଡିର ନିର୍ବାଚନୀ ଖର୍ଚ୍ଚରେ ବ୍ୟବହୃତ ହେଉଛି । ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ସୁଦର୍ଶନ ଦାସ ଅଭିଯୋଗ କରିଛନ୍ତି ଯେ, ପଂଚାୟତଠୁ ଆରମ୍ଭ କରି ଲୋକସେବା ଭବନ ପର୍ଯ୍ୟନ୍ତ ଚାଲିଛି ପିସି କାରବାର । ଏଥିରେ ବିଜେଡିର ମନ୍ତ୍ରୀ,ନେତା,ଯନ୍ତ୍ରୀ, ଅଫିସରମାନେ ସମ୍ପୃକ୍ତ । କେବଳ ପଂଚାୟତ ଓ ବ୍ଲକଗୁଡ଼ିକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ୨୦ରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ପିସି କାରବାର ହେଉଛି । ୨୦୧୭ ଜୁନ୍ ମାସରେ ପଂଚାୟତରେ ପିସି କାରବାର ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେହି ଜୁନ୍ ମାସରେ ପିସି କାରବାରରେ ଲିପ୍ତ ଥିବା ଅଭିଯୋଗରେ ୨୫୮ଜଣ ସରକାରୀ କର୍ମଚାରୀ ଓ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ବି ନିଆଯାଇଥିଲା । ମାତ୍ର ତା’ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେ କଥା ଭୁଲିଗଲେ ।