କଂଗ୍ରେସ କେବଳ ୧୭ଟି ଲୋକସଭା ଆସନରେ ପ୍ରାର୍ଥୀ ଦେବ

 

ଉତ୍ତର ପ୍ରଦେଶରେ କଂଗ୍ରେସ କେବଳ ୧୭ଟି ଲୋକସଭା ଆସନରେ ପ୍ରାର୍ଥୀ ଦେବ। ବାକି ୬୩ଟି ଲୋକସଭା ଆସନରେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ଓ ଇଣ୍ତିଆ ମେଣ୍ଟରେ ଥିବା ଅନ୍ୟ ଦଳଗୁଡ଼ିକ ଲଢ଼େଇ କରିବେ। ଦୁଇ ଦଳ ମଧ୍ୟରେ ସିଟ ଶେୟାରିଂକୁ ନେଇ ଚାଲିଥିବା ଅଙ୍କକଷାରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି। ଦୁଇ ଦଳ ଆସନ୍ତା ଲୋକସଭା ନିର୍ବାଚନ ଏକାଠି ଲଢ଼ିବେ ବୋଲି ଡିଲ ଫାଇନାଲ କରିଛନ୍ତି। ପ୍ରଥମଥର ପାଇଁ ଇଣ୍ଡିଆ ମେଣ୍ଟରେ ଥିବା ଦୁଇ ଦଳ ମଧ୍ୟରେ କୌଣସି ରାଜ୍ୟରେ ସିଟ ଶେୟାରିଂ ଫର୍ମୁଲା କାର୍ଯ୍ୟକାରୀ ହୋଇଛି। ମେଣ୍ଟ ସମ୍ପର୍କରେ ସୂଚନା ଦେଇ ଉତ୍ତର ପ୍ରଦେଶର କଂଗ୍ରେସ ପ୍ରଭାରୀ ଅଭିନାଶ ପାଣ୍ଡେ କହିଛନ୍ତି, “ମୁଁ ଆପଣମାନଙ୍କୁ ବେଶ ଖୁସିର ସହ କହିବାକୁ ଚାହୁଁଛି ଯେ ଜାତୀୟ କଂଗ୍ରେସ ଉତ୍ତର ପ୍ରଦେଶର ୧୭ଟି ଆସନରେ ପ୍ରାର୍ଥୀ ଦେବ। ବାକି ୬୩ଟି ଆସନରେ ଇଣ୍ଡିଆ ମେଣ୍ଟରେ ଥିବା ସପା ଓ ଅନ୍ୟ ଦଳଗୁଡ଼ିକ ଲଢ଼େଇ କରିବେ।”