ଖୋର୍ଦ୍ଧାଠାରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ସହ‘ଆମ ବସ୍‌ଷ୍ଟାଣ୍ଡ’ ଯୋଜନାରେ ବସଷ୍ଟାଣ୍ଡ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧାଠାରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଖୋର୍ଦ୍ଧାଠାରେ ଇଡ୍‌କୋ ଦ୍ୱାରା ନିର୍ମାଣ କରାଯାଇଥିବା ନୂତନ ଫୁଡ୍‌ପାର୍କକୁ ମୁଖ୍ୟମନ୍ତ୍ରୀ ଗୁରୁବାର ଉଦ୍‌ଘାଟନ କରିଥିବା ବେଳେ କାଳିବେଟି ନିକଟରେ ନୂତନ ଶିଳ୍ପ ପାର୍କର ଶିଳାନ୍ୟାସ କରିଛନ୍ତି। ଫୁଡ୍‌ପାର୍କରେ ପେପ୍‌ସି, ନେସ୍‌ଲେ, ଇଣ୍ଡୋ ନିସିନ ଶିଳ୍ପ ସହ ସେମାନଙ୍କ ଅନ୍ୟାନ୍ୟ ଆନୁଷଙ୍ଗିକ ଫୁଡ୍‌ ୟୁନିଟ୍‌ ନିର୍ମାଣ କରିବେ। କାଳିବେଟିଠାରେ ପୋଷାକ ପ୍ରସ୍ତୁତକାରୀ କମ୍ପାନୀ, ଇପିକ, ମାସ୍‌ ହୋଲ୍ଡିଂସ, ଇଣ୍ଡିଆନ ଷ୍ଟିଚେସ୍‌ ଏବଂ ଅନ୍ୟାନ୍ୟ ବଡ଼ ବଡ଼ କମ୍ପାନୀ ସେମାନଙ୍କ ଶିଳ୍ପ ୟୁନିଟ୍‌ ସ୍ଥାପନ କରିବେ। ଏବେ ସୁଦ୍ଧା ୧୦ଟି ଶିଳ୍ପ ସଂସ୍ଥା ନିଜ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଦ୍ୱାରା କଠିନ ପରିଶ୍ରମର ଫଳସ୍ବରୂପ ଉକ୍ତ ଶିଳ୍ପ ସଂସ୍ଥା ନିଜର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ଉକ୍ତ କମ୍ପାନୀଗୁଡ଼ିକ ରାଜ୍ୟରେ ହଜାର ହଜାର ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ। ଏଥିସହିତ ଶିଳ୍ପ ଅଭିବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧାବାସୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି।

ଏହି ଶିଳ୍ପାଞ୍ଚଳରେ ରାଜ୍ୟ ସରକାର ୩ଟି ବୃହତ୍‌ କର୍ମଜୀବୀ ମହିଳା ହଷ୍ଟେଲ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ସେହି ହଷ୍ଟେଲଗୁଡ଼ିକ ଡେରାସ, କାଳିବେଟି ଏବଂ ଭୁଇନପୁରଠାରେ ନିର୍ମାଣ କରାଯିବ। ଏହି କାର୍ଯ୍ୟକ୍ରମରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ଶିଳ୍ପ ସଂସ୍ଥାଗୁଡ଼ିକର ବରିଷ୍ଠ ବ୍ୟକ୍ତି, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ‘ଆମ ବସ୍‌ଷ୍ଟାଣ୍ଡ’ ଯୋଜନାରେ ୧୩ଟି ଜିଲ୍ଲାରେ ୨୦ଟି ନବନିର୍ମିତ ବସ୍‌ ଷ୍ଟାଣ୍ଡ ଉଦ୍‌ଘାଟନ କରିଛନ୍ତି। ଏହି ଜିଲ୍ଲା ଗୁଡିକ ହେଲା- ଅନୁଗୋଳ, ବାଲେଶ୍ୱର, ବୌଦ୍ଧ, ଢେଙ୍କାନାଳ, ଗଜପତି, କେନ୍ଦ୍ରାପଡା, କେନ୍ଦୁଝର, କୋରାପୁଟ, ନୟାଗଡ, ନୂଆପଡା, ରାୟଗଡା, ସମ୍ବଲପୁର ଓ ସୁବର୍ଣ୍ଣପୁର।‘ଆମ ବସ୍‌ ଷ୍ଟାଣ୍ଡ’ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ନୂଆ ବସ୍‌ ଷ୍ଟାଣ୍ଡଗୁଡିକ ବ୍ୟବସାୟ କେନ୍ଦ୍ର ଭାବେ ଧିରେ ଧିରେ ବିକଶିତ ହେବ ଏବଂ ଏହା ଦ୍ୱାରା ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇବ। ସେ ଆହୁରି ମଧ୍ୟ କହିଥିଲେ ଯେ ସାଧାରଣ ପରିବହନ ଭିତ୍ତିଭୂମିକୁ ମଜବୁତ୍‌ କରିବା ସହିତ ଲୋକମାନେ ଯେପରି ଏହି ସାଧାରଣ ପରିବହନ ବ୍ୟବସ୍ଥାକୁ ବହୁଳ ଭାବେ ବ୍ୟବହାର କରିବେ ସେଥିପାଇଁ ସମସ୍ତଙ୍କୁ ସଚେତନ କରିବା ଆବଶ୍ୟକ। ନୂଆ ବସ୍‌ ଷ୍ଟାଣ୍ଡରେ ଲୋକମାନଙ୍କର ସୁରକ୍ଷା ସହିତ ସେଠାରେ ଉପଲବ୍ଧ ସାଧାରଣ ସୁବିଧା ସୁଯୋଗର ଉପଯୁକ୍ତ ରକ୍ଷଣାବେକ୍ଷଣ ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଥିଲେ।

ଉଦ୍‌ଘାଟନ ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯୋଗାଯୋଗ ହେଉଛି ବିକାଶର ଆଧାର। ଏହା ହେଉଛି ଆମ ଅର୍ଥନୀତିର ମୁଖ୍ୟ ଶକ୍ତି। ଗାଁଠୁ ସହର ସବୁଆଡେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବା ଆମର ଲକ୍ଷ୍ୟ ରହିଛି। ୫ଟି ଉପକ୍ରମରେ ଆମର ଯୋଗାଯୋଗ ଭିତ୍ତିଭୂମି ଓ ସାଧାରଣ ପରିବହନର ବ୍ୟବସ୍ଥାର ବିକାଶ କରାଯାଉଛି। ଗାଁକୁ ଲକ୍ଷ୍ମୀ ଯୋଜନାରେ ବ୍ଲକ ସହ ଯୋଡା ଯାଉଛି। ଭୁବନେଶ୍ୱରରେ ମେଟ୍ରୋ ରେଳ ଯୋଜନା ଆରମ୍ଭ ହୋଇଛି ବୋଲି କହି ଯୋଗାଯୋଗରେ ଉନ୍ନତି ହେଲେ ଲୋକଙ୍କ ରୋଜଗାର ବଢିବା ସହ ଚାଷୀ ଭାଇ ଭଉଣୀମାନେ ଲାଭବାନ ହେବେ ଓ ପିଲାଙ୍କ ପାଠପଢାରେ ସୁବିଧା ହେବ ବୋଲି ସେ କହିଥିଲେ।

ଏହି ଅବସରରେ କାର୍ଯ୍ୟକ୍ରମରେ ଭାଗ ନେଇ ତୃତୀୟ ମହଲା କନଫରେନ୍‌ସ ହଲରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ନୂଆପଡାଠାରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ମୁନିଗୁଡାଠାରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ହରଭଙ୍ଗାଠାରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦିପ କୁମାର ଅମାତ୍‌ ନୂଆ ବସ୍‌ ଷ୍ଟାଣ୍ଡ ମାଧ୍ୟମରେ ଜନସାଧାରଣଙ୍କ ଗମନାଗମନକୁ ସୁବ୍ୟବସ୍ଥିତ କରାଯାଇଛି ଏବଂ ଏହି ବସ୍‌ ଷ୍ଟାଣ୍ଡଗୁଡିକ ରାଜ୍ୟର ପରିବହନ ସେବା କ୍ଷେତ୍ରରେ ମାଇଲଖୁଣ୍ଟ ବୋଲି ସେମାନେ କହିଥିଲେ।