ଆଇଆଇଟି ଭୁବନେଶ୍ୱରର ଗବେଷଣା ଓ ଉଦ୍ୟମିତା ପାର୍କରେ ‘୧୦୦ କ୍ୟୁବ୍ ଷ୍ଟାର୍ଟଅପ’ର ଶୁଭାରମ୍ଭ
ଓଡ଼ିଶାରେ ଯୁବପିଢିଙ୍କ ମାଧ୍ୟମରେ ନବସୃଜନରୁ ନବଉଦ୍ୟୋଗ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଆଇଆଇଟି ଭୁବନେଶ୍ୱରର ଗବେଷଣା ଏବଂ ଉଦ୍ୟମିତା ପାର୍କର ୧୦୦ କ୍ୟୁବ୍ ଷ୍ଟାର୍ଟଅପ୍ ପଦକ୍ଷେପର ଶୁଭାରମ୍ଭ କରିଛନ୍ତି ।
ଏହି ମହତ୍ୱକାଂକ୍ଷୀ ଷ୍ଟାର୍ଟଅପ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଏକ ଐତିହାସିକ ଦିନ । ଆମେ ନୂଆ କୋଣାର୍କ ମନ୍ଦିର ଭଳି ଆଇଆଇଟି ଭୁବନେଶ୍ୱରର ଗବେଷଣା ଏବଂ ଉଦ୍ୟମିତା ପାର୍କର ଶୁଭାରମ୍ଭ କଲେ । ୨୦୩୬ ସୁଦ୍ଧା ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପୂରଣ କରିବ । ଏହି ସମୟ ସୁଦ୍ଧା ଏହି ପାର୍କରେ ହାରାହାରି ୧୦୦ କୋଟି ଟଙ୍କା ଲେଖାଁଏ ମୂଲ୍ୟର ୧୦୦ଟି ଷ୍ଟାର୍ଟଅପ୍ ସୃଷ୍ଟି କରିବାର ଲକ୍ଷ୍ୟ ରହିଛି । ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଷ୍ଟାର୍ଟ ଅପ ଗୁଡିକୁ ନିବେଶକଙ୍କ ସହ ସମନ୍ୱୟ ସ୍ଥାପନ କରିବା ପାଇଁ ଆବଶ୍ୟକୀୟ ସମ୍ବଳ, ସହଯୋଗ ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏହି ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଣାଳୟ ୧୩୦ କୋଟି ଟଙ୍କା ସହାୟତାରେ ଉକ୍ତ ପାର୍କକୁ ଆସନ୍ତା ୨ ବର୍ଷ ମଧ୍ୟରେ ୨୦ହଜାର ବର୍ଗଫୁଟରୁ ୮୦ ହଜାର ବର୍ଗଫୁଟ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବ ।
ଇନୋଭେସନ ଓଡ଼ିଆ ପିଲାଙ୍କ ଡିଏନଏରେ ଅଛି । ହଜାର ହଜାର ବର୍ଷ ପୂର୍ବରୁ ଆମର ଓଡ଼ିଆ ସଭ୍ୟତାର ସାମୂହିକ ପ୍ରତିଫଳନ କୋଣାର୍କ ଥିଲା । ଓଡ଼ିଆ ପିଲାଙ୍କ ମଧ୍ୟରେ ଥିବା ଉଦ୍ୟୋଗୀ ପ୍ରତିଭାକୁ ପ୍ରସ୍ଫୁଟିତ କରିବା ତଥା ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ଏହି ପଦକ୍ଷେପ ନିଆଯାଇଛି । ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଷ୍ଟାର୍ଟଅପ୍ ଇଣ୍ଡିଆ ଓ ଆତ୍ମନିର୍ଭର ଏବଂ ବିକଶିତ ଭାରତର କଳ୍ପନାକୁ ସାକାର କରିବାର ସହାୟକ ହେବ । ଅର୍ଥନୀତି ମଜଭୂତ୍ ହେବା ସହ ରୋଜଗାର ସୃଷ୍ଟି ହେବ ।