ଉଦଯାପିତ ହେଲା ଆଦିବାସୀ ମେଳା
ଆଦିବାସୀ ମେଳା ୨୦୨୪’ ଉଦଯାପିତ ହୋଇଯାଇଛି। ମେଳାରେ ୧୨ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା ବେଳେ ୫ କୋଟିରୁ ଅଧିକ ଟଙ୍କାର ଜନଜାତି ସାମଗ୍ରୀ କାରବାର ହୋଇଥିଲା। ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ମାନ୍ୟବର ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ରୂପା ରୋଶନ ସାହୁ ଏବଂ ଅନୁସୂଚିତ ଜନଜାତି ବିକାଶ ସମବାୟ ନିଗମ ଲିମିଟେଡର ପରିଚାଳନା ନିର୍ଦ୍ଦେଶିକା ଡକ୍ଟର ପୋମା ଟୁଡୁ ଯୋଗ ଦେଇଥିଲେ।
ଏହି ଅବସରରେ ଏସସିଏସଟିଆରଟିଆଇ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଜନଜାତି ଚିତ୍ରକଳା ପ୍ରତିଯୋଗିତାରେ ୬ ଜଣ ଶ୍ରେଷ୍ଠ ଛାତ୍ରଛାତ୍ରୀ ଏବଂ ରାଜ୍ୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ୩୨ ଜଣ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।
୨୦୨୩ ମାଟ୍ରିକ ବୋର୍ଡ ପରୀକ୍ଷାରେ ସଫଳତା ପାଇଥିବା ୧୦୪ ଜଣ ଛାତ୍ରଛାତ୍ରୀ ଏବଂ ଅନ୍ୟ ବିଭିନ୍ନ ପରୀକ୍ଷା ଓ ପ୍ରତିଯୋଗିତାର ୧୪ ଜଣ କୃତୀ ଛାତ୍ରଛାତ୍ରୀ ଏଥିରେ ପୁରସ୍କୃତ ହୋଇଥିଲେ। ସେହିପରି ଭଲ ପ୍ରଦର୍ଶନ କରିଥିବା ୫୦ଟି ଏସଏସଡି ହାଇସ୍କୁଲକୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। କୃଷି ଏବଂ ଉଦ୍ୟାନ କୃଷିରେ ଉଲ୍ଲେଖନୀୟ ସଫଳତା ପାଇଥିବା ୯ ଜଣ ଆଦିବାସୀ ଚାଷୀଙ୍କୁ ଉଦଯାପନୀ ମଞ୍ଚରେ ସମ୍ମାନିତ କରାଯାଇଥିଲା। ଆଦିବାସୀ ମେଳାରେ ପ୍ରଦର୍ଶିତ ହୋଇଥିବା ଜନଜାତି କୁଡ଼ିଆଗୁଡ଼ିକ ମଧ୍ୟରୁ ୪ଟିକୁ ପୁରସ୍କାର ଦିଆଯିବା ସହ ଶ୍ରେଷ୍ଠ ଆଦିବାସୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ସମ୍ବର୍ଦ୍ଧନା ଦିଆଯାଇଥିଲା।