‘ପ୍ରକୃତରେ ରୁଷ କ’ଣ ଚାହୁଁଛି ?

#russia-ukraine#meeting-putin

ମେଟ୍ରୋଟିଭିଓଡିଶା(୨୦.୨.୨୦୨୨):ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଠାରେ ଯେକୌଣସି ମୁହୂର୍ତ୍ତରେ ବି ହୋଇପାର ଯୁଦ୍ଧ। ୟୁକ୍ରେନ୍‌ ଉପରେ ଆକ୍ରମଣ କରିପାରେ ରୁଷ। ଏହାରି ଭିତରେ ଏଭଳି ଯୁଦ୍ଧ ପରିସ୍ଥିତିକୁ ଟାଳିବା ପାଇଁ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଆପୋଷ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି।ଜେଲେନସ୍କି କହିଛନ୍ତି ଯେ, ‘ପ୍ରକୃତରେ ରୁଷ କ’ଣ ଚାହୁଁଛି ବୁଝାପଡୁନାହିଁ। ତେଣୁ ମୁଁ ହିଁ ଏବେ ବୈଠକ କରି ଆପୋଷ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛି। ରୁଷ ନିଜ ପସନ୍ଦ ମୁତାବକ ଜାଗା ବାଝିପାରିବ। ସେ ଯେଉଁଠି ଚାହିଁବେ ସେଠି ବୈଠକ କରି ସମସ୍ୟାର ଆପୋଷ ସମାଧାନ ବାହାର କରିବାକୁ ସେ ରାଜି। ୟୁକ୍ରେନ ଏବେବି ଆପୋଷ ଆଲୋଚନା ମାଧ୍ୟମରେ ଏବଂ କୁଟନୈତିକ ଜରିଆରେ ଶାନ୍ତି ସ୍ଥାପନ କରିବାକୁ ଚେଷ୍ଟା କରିବ।

’ସୂଚନା ମୁତାବକ, ୟୁକ୍ରେନ ରାଷ୍ଟ୍ରପତି ଆମେରିକାର ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କୁ ଦେଖାସାକ୍ଷାତ କରି ଏଭଳି ବଡ ବୟାନ ଦେଇଛନ୍ତି। ଏହି ଦେଖାସାକ୍ଷାତ ବେଳେ ହ୍ୟାରିସ ଜେଲେନସ୍କିଙ୍କୁ ସାନ୍ତ୍ୱନା ଦେଇଛନ୍ତି । ଯଦି ରୁଷ ତିଳେମାତ୍ର ବି ୟୁକ୍ରେନ ଉପରେ ଆକ୍ରମଣ କରେ ତେବେ ଆମେରିକା ସମେତ ଅନ୍ୟ ପଶ୍ଚିମ ରାଷ୍ଟ୍ର ଗୁଡିକ ଉପରେ ଆର୍ଥିକ କଟକଣା ଲଗାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ହ୍ୟାରିସ୍।ତେବେ ରୁଷ ରାଷ୍ଟ୍ରପତି ପୁଟିନ୍‌ଙ୍କ ଉପରେ କିନ୍ତୁ ଏ ସବୁ ଚେତାବନୀର କୌଣସି ଫରକ ପଡୁନି। ୟୁକ୍ରେନ ସୀମାରୁ ନିଜ ସେନାକୁ ପ୍ରତ୍ୟାହାର କରିନେଇଥିବା କଥା କହୁଥିଲେ ମଧ୍ୟ ଏହାର ସୀମାରେ ଘନଘନ କ୍ଷେପଣାସ୍ତ୍ର ପରୀକ୍ଷା କରୁଛି ରୁଷ। କିଛି ଦିନ ଭିତରେ ରୁଷ ୟୁକ୍ରେନ ଉପରେ ବଡ ଧରଣର ଆକ୍ରମଣ କରିବ ବୋଲି ଦାବି କରୁଛି ଆମେରିକା। ସେପଟେ ବ୍ରିଟେନ୍‌ ବୈଦେଶିକ ମନ୍ତ୍ରୀ ମଧ୍ୟ ଆସନ୍ତା ସପ୍ତାହରେ ଆକ୍ରମଣ ହୋଇପାରେ ବୋଲି କିହଛନ୍ତି।