ବୋରଓ୍ବେଲରୁ ଜୀବନ୍ତ ଉଦ୍ଧାର ହେଲା ନବଜାତ ଶିଶୁ

ସମ୍ବଲପୁର ରେଙ୍ଗାଲି ରାଲିପାଲିର ବୋରଓ୍ବେଲରେ ଭିତରୁ ଜୀବନ୍ତ ଉଦ୍ଧାର ହେଲା ନବଜାତ ଶିଶୁ। ଉଦ୍ଧାରକାରୀ ଦଳଙ୍କ ଅକ୍ଲାନ୍‌ ପରିଶ୍ରମକୁ ସାବାସୀ ଜଣାଇବା ସହିତ ପୁରା ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଏଥିସହିତ ଓଡ୍ରାଫ, ଅଗ୍ନିଶମ, ଜିଲ୍ଲାପ୍ରଶାସନକୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଉଦ୍ଧାରକାରୀ ଦଳର ଜଣେ ସଦସ୍ୟ କହିଛନ୍ତି, ବହୁକଷ୍ଟରେ ଶିଶୁଟିର ଜୀବନ ବଞ୍ଚାଇଛୁ। କାରଣ ଶିଶୁଟି ଯେଉଁଠି ଥିଲା ସେହି ତଳେ ଭଙ୍ଗାକାଚ ଥିଲା। ତାଉପରୁ ପ୍ଲାଷ୍ଟିକ ବୋତଲ ଥିବାରୁ ବଞ୍ଚିଗଲା ଝିଅର ଜୀବନ।୮ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ନନଷ୍ଟପ ଅପରେସନ। ୨୦ରୁ ୨୫ ଫୁଟ ତଳୁ ଶିଶୁଟି ଉଦ୍ଧାର ହୋଇଛି। ଉଦ୍ଧାର ହେବା ପରେ ନବଜାତ ଶିଶୁଟିକୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ଶିଶୁଟିର ସ୍ବାସ୍ଥ୍ୟବସ୍ଥା ଭଲ ରହିଥିବା ସୂଚନା ରହିଛି। ଘଟଣାସ୍ଥଳକୁ ଜଣେ ମହିଳା ଶୌଚ ହେବାକୁ ପହଞ୍ଚିଥିଲେ । ତେବେ ଏହି ସମୟରେ ତାଙ୍କୁ ହଠାତ୍ ଗୋଟିଏ ଛୁଆର କୁଆଁ କୁଆଁ କାନ୍ଦ ଶୁଭିଥିଲା । କିନ୍ତୁ ସେ ଏହାକୁ ସ୍ପଷ୍ଟ ଜାଣି ପାରି ନଥିଲେ । ତେବେ ଅନେକ ସ୍ଥାନରେ ଖୋଜାଖୋଜି ପରେ କାନ୍ଦ ବୋରୱେଲ ଭିତରୁ ଆସୁଥିବା ଅନୁମାନ କରିଥିଲେ ମହିଳା । ଏହାପରେ ପ୍ରଥମେ ସେ ସ୍ଥାନୀୟ ଲୋକଙ୍କୁ କହିବାରୁ ସେମାନେ ରେଙ୍ଗାଲି ଫାୟାର ଷ୍ଟେସନକୁ ଖବର ଦେଇଥିଲେ । ପରେ ସମ୍ବଲପୁର ଫାୟାର ଷ୍ଟେସନକୁ ମଧ୍ୟ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା । ଏହାପରେ ଆରମ୍ଭ ହୋଇଥିଲା ଶିଶୁପୁତ୍ରର ଉଦ୍ଧାର କାର୍ଯ୍ୟ ।