ଫୋର୍ବସ୍‌ ତାଲିକାରେ ବିଶ୍ବର ୧୦୦ ପ୍ରଭାବଶାଳୀ ମହିଳା ତାଲିକାରେ ଓଡ଼ିଶାର ସୋମା ମଣ୍ଡଳ

ଭୁବନେଶ୍ବର : ଫୋର୍ବସ୍‌ ପକ୍ଷରୁ ଜାରି କରାଯାଇଥିବା ବିଶ୍ବର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ସୋମା ମଣ୍ଡଳଙ୍କ ନାମ ରହିଛି। ତାଲିକାର ୩୨ତମ ସ୍ଥାନରେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଥିବ‌ା ବେଳେ ଏଚ୍‌ସିଏଲ୍‌ କର୍ପୋରେସନର ସିଇଓ ରୋଶ୍‌ନୀ ନାଦର ମଲହୋତ୍ରା ୬୦, ସେଲ୍‌ର ଅଧ୍ୟକ୍ଷା ସୋମା ମଣ୍ଡଳ ୭୦ ଏବଂ ବାୟୋକନ୍‌ର ମୁଖ୍ୟ କିରଣ ମଜୁମଦାର ସ’ ୭୬ତମ ସ୍ଥାନରେ ରହିଛନ୍ତି। ଶ୍ରୀମତୀ ମଣ୍ଡଳ ଓଡ଼ିଶାର ଏକ ମଧ୍ୟବିତ୍ତ ପରିବାରରେ ଭୁବନେଶ୍ବରରେ ଜନ୍ମ ହୋଇଥିଲେ। ତାଙ୍କ ବାପା ଡ. ହରି କୁମାର ଦାସଗୁପ୍ତା ଜଣେ କୃଷିବିଜ୍ଞାନୀ ଥ‌ିଲେ। ତାଙ୍କ ମା’ଙ୍କ ନାମ ହେଉଛି ଅପର୍ଣ୍ଣା ଦାସଗୁପ୍ତା। ଭୁବନେଶ୍ବରରେ ତାଙ୍କର ସ୍କୁଲଶିକ୍ଷା ହୋଇଥିଲା। ୧୯୮୪ରେ ଆର୍‌ଇସି-ରାଉରକେଲାରୁ ସେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ଡିଗ୍ରି ହାସଲ କରିଥିଲେ। ନାଲ୍‌କୋରୁ ଗ୍ରାଜୁଏଟ ଇଞ୍ଜିନିୟର ଟ୍ରେନି ଭାବେ ନିଜ ବୃତ୍ତିଗତ ଜୀବନ ଆରମ୍ଭ କରି ନିର୍ଦ୍ଦେଶିକା (କମର୍ସିଆଲ୍) ପଦ ପର୍ଯ୍ୟନ୍ତ ପଦୋନ୍ନତି ପାଇଥିଲେ। ୨୦୧୭ରେ ସେଲ୍‌ର ନିର୍ଦ୍ଦେଶିକା ପଦରେ ଯୋଗଦେଇଥିଲେ। ୨୦୨୧ ଜାନୁଆରିରୁ ସେ କଂପାନିର ଅଧ୍ୟକ୍ଷା ଦାୟିତ୍ବ ଗ୍ରହଣ କରିଥିଲେ।