ଖୁଚୁରା ବ୍ୟବସାୟୀ ମାନଙ୍କୁ ମିଳିବ ସୁପର ପାୱାର ରିଟେଲର ମାନ୍ୟତା, ଦିଆଯିବ ୧୪ ଘଣ୍ଟାର ପ୍ରଶିକ୍ଷଣ

ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ଠାରେ କୋକା-କୋଲା ଇଣ୍ଡିଆ ଓ ଜାତୀୟ ଦକ୍ଷତା ବିକାଶ ନିଗମ(ଏନଏସଡିସି)ର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ‘ଖୁଚୁରା ବ୍ୟବସାୟୀ ତାଲିମ’ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି ।ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅଧୀନରେ ଖୁଚୁରା ବେପାରୀ ମାନଙ୍କୁ ଅଧିକ ଦକ୍ଷ କରିବା ସହ ସେମାନେ କିପରି ନିଜ ବ୍ୟବସାୟ ପରିଧିକୁ ବଢାଇପାରିବେ ସେ ଦିଗରେ ତାଲିମ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଏହି କାର୍ଯ୍ୟକ୍ରମ ଜରିଆରେ ଦେଶର ୧ କୋଟି ୪୦ ଲକ୍ଷ ରିଟେଲର ଡିଜିଟାଲ ତାଲିମ ପାଇବେ । ନିଜ ମୋବାଇଲରେ ଆପ୍ ଡାଉନଲୋଡ କରି କିମ୍ବା ୱେବସାଇଟ ମାଧ୍ୟମରେ ଦକ୍ଷତା ବିକାଶ ପାଇଁ ତାଲିମ ନେବେ । ଖୁଚୁରା ବ୍ୟବସାୟୀଙ୍କୁ ସ୍କିଲ ଇଣ୍ଡିଆ ଡିଜିଟାଲ ପୋର୍ଟାଲ ମାଧ୍ୟମରେ ୧୪ ଘଣ୍ଟାର ଉନ୍ନତମାନର ରିଟେଲ୍ ପ୍ରଶିକ୍ଷଣ ଦିଆଯିବ । ଖାଉଟିଙ୍କୁ ଆକୃଷ୍ଟ କରିବା ଭଳି ଯୋଜନା ସହ ବ୍ୟବସାୟ କରିବାର କୌଶଳ ଓ ଡିଜିଟାଲ ପ୍ଲାଟଫର୍ମର ବ୍ୟାପକ ସୁଯୋଗକୁ ବ୍ୟବହାର କରିବା ନେଇ ତାଲିମ ଦିଆଯିବ । ଏହି ଅଭିନବ କାର୍ଯ୍ୟକ୍ରମରେ ସହଯୋଗୀ ହୋଇଥିବା କୋକା-କୋଲା ଇଣ୍ଡିଆକୁ ଧନ୍ୟବାଦ ଜଣାଇବା ସହ ସମସ୍ତ ଟ୍ରେନିଂ ମଡ୍ୟୁଲକୁ ଓଡ଼ିଆ ଭାଷା ସମେତ ସବୁ ଭାରତୀୟ ଭାଷାରେ ଉପଲବ୍ଧ କରାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି ।