ୱେଷ୍ଟଇଣ୍ଡିଜ୍ ବିପକ୍ଷ ‌ଟ୍ବେଣ୍ଟି-୨୦ରେ ଭାରତ ପରାସ୍ତ

ତରୌବା: ଭାରତ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ରେ ୱେଷ୍ଟଇଣ୍ଡିଜ୍ ୪ ରନ୍‌ରେ ବିଜୟୀ ହୋଇଛି। ଭାରତ ସମ୍ମୁଖରେ ୧୫୦ ରନ୍‌ ବିଜୟ ଲକ୍ଷ୍ୟ ରହିଥିବା ବେଳେ ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ୧୪୫ ରନ୍‌ରେ ସୀମିତ ରହିଥିଲା। ୧୫୦ ରନ୍‌କୁ ପିଛା କରି ଭାରତ ଦୁଇ ପ୍ରାରମ୍ଭିକ ବ୍ୟାଟର୍‌ ଶୁବମନ ଗିଲ୍‌ ୩ ଓ ଈଶାନ କିଶନ ୬ ରନ କରିଥିଲେ । ତିଳକ କିନ୍ତୁ ବଢ଼ିଆ ବ୍ୟାଟିଂ କରି ୨୨ ବଲରୁ ୩୯ ରନ୍‌ କରିଥିଲେ । ସୂର୍ଯ୍ୟକୁମାର ୨୧ ରନ୍‌ରେ ଆଉଟ୍ ହୋଇଥିଲେ। ତିଳକ ବର୍ମାଙ୍କ ବିଦାୟ ପରେ ଅନ୍ୟ କୌଣସି ଖେଳାଳି କ୍ରିଜ୍‌ରେ ତିଷ୍ଠିନଥିଲେ। ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ସହ ସଂଜୁ ସାମସନ୍‌ ନିରାଶ କରିବା ପରେ ଭାରତର ପରାଜୟ ନିଶ୍ଚିତ ହୋଇଥିଲା। ଜାସନ୍ ହୋଲ୍ଡର ସବୁଠାରୁ ମିତବ୍ୟୟୀ ବୋଲିଂ କରିବା ସହ ସୂର୍ଯ୍ୟକୁମାର ଓ ହାର୍ଦିକ ପାଣ୍ଡ୍ୟାଙ୍କ ୱିକେଟ୍‌ ଦଖଲ କରିବା ନିର୍ଣ୍ଣାୟକ ହୋଇଥିଲା।

ଟସ୍ ଜିତି ୱେଷ୍ଟଇଣ୍ଡିଜ୍‌ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ଭାରତୀୟ ବୋଲରମାନେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ବିଶେଷ କରି ସ୍ପିନର ନିୟଂତ୍ରିତ ବୋଲିଂ କରିବାରୁ ୱେଷ୍ଟଇଣ୍ଡିଜ୍‌ ୧୪୯/୬ରେ ସୀମିତ ରହିଥିଲା। ୟୁଜବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବ ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇଥିଲେ।  ନିକୋଲାସ ପୂରନ ୪୧ରନ ଏବଂ ରୋମମାନ ପାୱେଲ ୪୮ରନ କରିଥିଲେ।