ଓଡ଼ିଶାକୁ ମିଳିଲା 707 କୋଟି 60 ଲକ୍ଷ ଟଙ୍କାର ପାଣ୍ଠି

କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନ ବ୍ୟୟ ବିଭାଗ ପକ୍ଷରୁ  22ଟି ରାଜ୍ୟର ସରକାରଙ୍କୁ ବିପର୍ଯ୍ୟୟ ମୁକାବିଲା ନିମନ୍ତେ 7532 କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୁପାରିସ ଆଧାରରେ ସମ୍ପୃକ୍ତ ରାଜ୍ୟର ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ)କୁ ଏହି ଅର୍ଥ ମିଳିଛି । ଓଡ଼ିଶାକୁ ଏସଡିଆରଏଫ ପାଣ୍ଠି ବାବଦରେ 707 କୋଟି 60 ଲକ୍ଷ ଟଙ୍କା ମିଳିଛି ।

ସାରା ଦେଶରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମାର୍ଗଦର୍ଶିକାକୁ କୋହଳ କରାଯାଇଛି । ବିଗତ ବର୍ଷ ରାଜ୍ୟମାନଙ୍କୁ ଦିଆଯାଇଥିବା ଅର୍ଥରାଶିର ଉପଯୋଗିତା ପ୍ରମାଣପତ୍ରକୁ ଅପେକ୍ଷା କରିବା ବିନା ରାଜ୍ୟମାନଙ୍କୁ ତତ୍କାଳ ସହାୟତା ରାଶି ଜାରି କରାଯାଇଛି । ବିପର୍ଯ୍ୟୟ ପ୍ରଶମନ ଆଇନ 2005ର ଧାରା 48 (1) (କ) ଅନ୍ତର୍ଗତ ପ୍ରତ୍ୟେକ ରାଜ୍ୟରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ)ର ଗଠନ କରାଯାଇଛି । କେନ୍ଦ୍ର ସରକାର ସାଧାରଣ ରାଜ୍ୟକୁ ଏସଡିଆରଏଫରେ 75 ପ୍ରତିଶତ ଓ ପୂର୍ବୋତ୍ତର ତଥା ହିମାଳୟ ରାଜ୍ୟରେ 90 ପ୍ରତିଶତ ଯୋଗଦାନ ଦେଇଥାନ୍ତି।

ଅର୍ଥ ଆୟୋଗଙ୍କ ସୁପାରିସ ଅନୁଯାୟୀ ଦୁଇଟି ସମାନ କିସ୍ତିରେ ବାର୍ଷିକ କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦିଆଯାଏ। ମାର୍ଗଦର୍ଶିକା ଅନୁଯାୟୀ, ପୂର୍ବରୁ ଜାରି ହୋଇଥିବା କିସ୍ତି ପାଇଁ ଉପଯୋଗିତା ପ୍ରମାଣପତ୍ର ଏବଂ ରାଜ୍ୟମାନଙ୍କ ଦ୍ୱାରା ଏସଡିଆରଏଫ ପାଣ୍ଠି ମାଧ୍ୟମରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ଏକ ରିପୋର୍ଟ ହସ୍ତଗତ ହେବା ପରେ ପରବର୍ତ୍ତୀ କିସ୍ତି ଯୋଗାଇ ଦିଆଯଇଥାଏ। ତେବେ, ଜରୁରି ପରିସ୍ଥିତିକୁ ଦୃଷ୍ଟିରେ ରଖି, ଚଳିତ ଥର ଏସବୁ ଆବଶ୍ୟକତାକୁ କୋହଳ କରାଯାଇଛି ।

ବାତ୍ୟା, ମରୁଡ଼ି, ଭୂମିକମ୍ପ, ଅଗ୍ନିକାଣ୍ଡ, ବନ୍ୟା, ସୁନାମୀ, ଝଡ଼, ଭୂ-ସ୍ଖଳନ, ହିମସ୍ଖଳନ, ବାଦଲଫଟା ବର୍ଷା, କୀଟ ଆକ୍ରମଣ ଏବଂ କୁଆପଥର ବର୍ଷା ଏବଂ ଶୀତ ଲହରୀ ଭଳି ବିଜ୍ଞପିତ ବିପର୍ଯ୍ୟୟର ପୀଡ଼ିତମାନଙ୍କୁ ତତ୍କାଳ ସହାୟତା ଉପଲବ୍ଧ କରାଇବା ଜନିତ ଖର୍ଚ୍ଚର ମୁକାବିଲା ଲାଗି ଏସଡିଆରଏଫକୁ ଉପଯୋଗ କରାଯାଇଥାଏ।

ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସକୁ ଆଧାର କରି, କେନ୍ଦ୍ର ସରକାର 2021-22 ରୁ 2025-26 ମଧ୍ୟରେ ଏସଡିଆରଏଫ ପାଇଁ 1,28,122.40 କୋଟି ଟଙ୍କା ଆବଣ୍ଟନ କରିଛନ୍ତି । ଏଥିମଧ୍ୟରେ କେନ୍ଦ୍ର ସରକାରଙ୍କ ଅଂଶଧନ 98,080.80 କୋଟି ଟଙ୍କା ରହିଛି । କେନ୍ଦ୍ର ସରକାର ଏବେ ସୁଦ୍ଧା 34,140.00 କୋଟି ଟଙ୍କା ଯୋଗାଇ ଦେଇସାରିଛନ୍ତି । ଚଳିତ ଥର ଅର୍ଥରାଶି ଜାରି କରାଯିବା ପରେ ରାଜ୍ୟ ସରକାରଙ୍କୁ ଏବେସୁଦ୍ଧା ଜାରି ହୋଇଥିବା ଅର୍ଥ ପରିମାଣ 42,366 କୋଟି ଟଙ୍କାରେ ପହଞ୍ଚିଛି ।