ବିଜେପିକୁ ଡେଇଁବାକୁ ବିଜେଡି ନେତାଙ୍କ ସଜବାଜ! ଦିଲ୍ଲୀ ମଞ୍ଚରେ ଧରିପାରନ୍ତି ପଦ୍ମ

ଭୁବନେଶ୍ବର: ଆସନ୍ତା ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାୟ ଅଧାଅଧି ବିଧାୟକଙ୍କୁ ବଦଳାଇବେ ବୋଲି ଚର୍ଚା ହେଉଛି ।  ବିଜେଡିର ଅନେକ ବିଧାୟକଙ୍କ ଟିକେଟ କଟିବା ନେଇ ଆଲୋଚନା ଜାରି ରହିଥିବା ବେଳେ କିଛି ଅସନ୍ତୁଷ୍ଟ ନେତା ବିଜେପିରେ ଯୋଗ ଦେବାକୁ ସଜ ହେଉଛନ୍ତି । ଏହି ତାଲିକାରେ ଅଛନ୍ତି ବିଜେଡିର ତିନି ବରିଷ୍ଠ ନେତା ଦେବାଶିଷ ନାୟକ,ପ୍ରଦୀପ ପାଣିଗ୍ରାହୀ ଏବଂ ସଂଜୟ ଦାସବର୍ମା ।  ସୁପ୍ରିମୋ ପୁଣି ଥରେ କିଛି ନେତାଙ୍କୁ ଟିକେଟ ଦେବେ କି ନା ସେ ନେଇ ଆଲୋଚନା ହେଉଥିବା ବେଳେ ବିଜେପି ଏହି ନେତାମାନଙ୍କ ସହ ଯୋଗାଯୋଗରେ ରହିଛି । ପ୍ରଥମ କଥା  ହେଲା ଏହି ନେତାମାନେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତ ବେଳେ ଦଳରେ ମିଶିବା ନେଇ ଚର୍ଚା ହେଉଥିଲା । ତେବେ କେନ୍ଦ୍ରୀୟ ନେତାମାନେ ନବୀନଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନଥିବାରୁ ଏହି ନେତାମାନେ ଦିଲ୍ଲୀରେ ଯାଇ ବିଜେପିରେ ମିଶିବେ ବୋଲି ଆଲୋଚନା ହେଉଛି ।

YouTube player

ପାଞ୍ଚ ଥର ବିଧାୟକ ରହି ସାରିଥିବା ଦେବାଶିଷ ନାୟକ ଗତ କିଛି ବର୍ଷ ହେଲା ନିଜ ଦଳରେ କୋଣଠେସା ହୋଇ ରହିଛନ୍ତି ।୨୦୦୦ ମସିହାରେ ଦେବାଶିଷ ପ୍ରଥମ ଥର ପାଇଁ ବରୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତା’ ପରେ ସେ ଲଗାତାର ଏହି ଆସନରୁ ଜିତି ଆସିଛନ୍ତି। ସେ ପୂର୍ବରୁ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ମଧ୍ୟ ଥିଲେ। ତେବେ ଦେବାଶିଷଙ୍କ ଅସଲ ପରିଚୟ ହେଉଛି ଯେ ଗୋଟିଏ ସମୟରେ ସେ ନବୀନ ପଟ୍ଟନାୟକଙ୍କ ଅତି ନିକଟ ଲୋକ ଥିଲେ। ତେବେ ବିଧାନସଭାର ସହକାରୀ ମାର୍ଶାଲ ଗାୟତ୍ରୀ ପଣ୍ଡାଙ୍କୁ ତତ୍କାଳୀନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ବିରୁଦ୍ଧରେ ଦେବାଶିଷ  ଲଗାଇଥିଲେ ବୋଲି ଅଭିଯୋଗ ଆସିବା ପରେ ଦେବାଶିଷ ଦଳରୁ ନିଲମ୍ବିତ ହୋଇଥିଲେ। 2014ରେ  ନବୀନ ଦେବାଶିଷଙ୍କ ଉପରେ  ବିଶ୍ୱାସ ରଖି ତାଙ୍କୁ ଟିକେଟ ଦେଇଥିଲେ ଓ ବରୀ ଆସନରୁ ସେ ବିଜୟୀ ହୋଇଥିଲେ । କିନ୍ତୁ ପରେ ତାଙ୍କୁ ଟିକେଟ ମିଳିନଥିଲା ।ସେପଟେ ବିଜେପି ୨୦୨୪ରେ ଓଡ଼ିଶା ଦଖଲ ପାଇଁ ପ୍ରସ୍ତୁତ ହେଉଥିବାରୁ ଏହି ଅସନ୍ତୁଷ୍ଟ ନେତାଙ୍କୁ ନେଇ ବଳ ବଢ଼ାଇବାକୁ ଚାହୁଁଛି । ଦଳ ଚାହୁଁଛି ଆଗମୀ ଦିନରେ ଆଉ ଟିକେ ଆଗ୍ରେସିଭ ଏବଂ ଆଟାକିଂ ହେବାକୁ । ୨୦୨୪ରେ କେନ୍ଦ୍ରରେ ବିଜେପି ଆଉ ରାଜ୍ୟରେ ବିଜେପି ସରକାର ପାଇଁ ପ୍ରସ୍ତୁତ ହେଉଛି ବିଜେପି । ସେହିଭଳି ସଂଜୟ ଦାସ ବର୍ମାଙ୍କୁ ମଧ୍ୟ ଦଳ କୋଣଠେସା କରି ରଖିଛି । ନିର୍ବାଚନରେ ହାରିବା ପରେ ସଂଜୟଙ୍କ କ୍ଷମତା ଅପସରି ଯାଇଛି । ତାଙ୍କୁ ଦଳ ପଚାରୁନଥିବାରୁ ସେ ଅସନ୍ତୁଷ୍ଟ ଅଛନ୍ତି । ସେହିପରି ଦିନେ ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକ ଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳ କୋଣଠେସା କରି ରଖିଛି । ପ୍ରଦୀପ ମଧ୍ୟ ବିଜେପି ସହ ଯୋଗାଯୋଗରେ ଅଛନ୍ତି । ଆଗାମୀ ଦିନରେ ବିଜେଡିର ଅନେକ ଅସନ୍ତୁଷ୍ଟ ନେତା ବିଜେପିରେ ସାମିଲ ହେବା ନେଇ ଭିତରେ ଭିତରେ ଆଲୋଚନା ଚାଲିଛି । ଖାଲି ବିଜେଡି ନେତା ନୁହଁନ୍ତି । ଏପରିକି କଂଗ୍ରେସ ଦଳର କିଛି ନେତା ମଧ୍ୟ ବିଜେପିରେ ମିଶିବାକୁ ଆଲୋଚନା କରୁଛନ୍ତି । ମହାରାଷ୍ଟ୍ରରେ ବିଜେପି ଅନ୍ୟଦଳ ଭିତରେ ଫାଟ କଲା ଭଳି ଏଠାରେ ମଧ୍ୟ ଅସନ୍ତୁଷ୍ଟଙ୍କୁ ଭଲ ପଦ ଦେଇ ଦଳରେ ମିଶାଇବାକୁ ପ୍ରୟାସ କରୁଥିବା ରାଜନୀତି ସମୀକ୍ଷକମାନେ କହିବା ଆରମ୍ଭ କଲେଣି ।