ରାଷ୍ଟ୍ରପତି ସନ୍ଧ୍ୟାରେ ଫେରିଯିବେ ଦିଲ୍ଲୀ
ବାରିପଦା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂଧ୍ୟାରେ ଦିଲ୍ଲୀ ଫେରିଯିବେ । ୩ଦିନିଆ ଓଡିଶା ଗସ୍ତରେ ନିଜ ମାଟିରେ ପାଦ ରଖି ସମସ୍ତଙ୍କ ସହ ହସଖୁସିରେ ସମୟ ବିତାଇଛନ୍ତି । ଆଜି ରାଷ୍ଟ୍ରପତି ବାରିପଦାର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଅପରାହ୍ନରେ ନୂଆଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି। ଗତକାଲି ରାଷ୍ଟପତି ଦ୍ରୌପଦୀ ମୁର୍ମୁ ବାରିପଦାର ସର୍କିଟ ହାଉସରେ ରାତ୍ରିଯାପନ କରିଥିଲେ। ରାଇରଙ୍ଗପୁର ମହୁଲଡିହାରେ ରାଷ୍ଟ୍ରପତିଙ୍କ ଘର। ପ୍ରଥମ ଦିନ ରାଷ୍ଟ୍ରପତି ନିଜ ଘରେ ହିଁ ରାତି କଟାଇଥିଲେ ।

ପ୍ରୋଟୋକଲ ଭାଙ୍ଗି ସାଧାରଣ ନାଗରିକଙ୍କ ଭଳି ପରିବାର ସହ ଘରେ ରହିବା ପରେ ସକାଳୁ ମହାଦେବଙ୍କ ଦର୍ଶନ ପାଇଁ ବାହାରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଘର ପାଖ ପୂର୍ଣ୍ଣେଶ୍ୱର ମନ୍ଦିରରେ ଜଳାଭିଷେକ କରିବା ସହ କିଛି ସମୟ ପ୍ରାର୍ଥନା କରିଥିଲେ। ପରେ ମନ୍ଦିର ପରିସରରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ, ପୂଜାରୀଙ୍କ ସହ ମନ୍ଦିର ପୁନରୁଦ୍ଧାର ପ୍ରସଙ୍ଗରେ କଥା ବି ହୋଇଥିଲେ। ଦେଶର ପ୍ରଥମ ନାଗରିକଙ୍କୁ ନିଜ ମାଟିରେ ଦେଖିବାକୁ ଲୋକଙ୍କ ଭିତରେ ଥିଲା ପ୍ରବଳ ଉତ୍ସାହ। ଘରେ ରୁଟି, ଚକୁଳି, ଡାଲମା, ସଜନା ଛୁଇଁ ଭଜା ଓ ଅତି ପ୍ରିୟର ଛତୁ ବେସର ଖାଇବା ସହ ସୁଖ ଦୁଃଖ ପଚାରି ବୁଝିଥିଲେ ରାଷ୍ଟ୍ରପତି। ଚାଷ ବାସ ଓ ଗାଁର ସମସ୍ୟା କଥା ବି ହୋଇଥିଲେ।
