କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳକର୍ମଚାରୀଙ୍କୁ ଦିଆଯିବ ଶ୍ରୀ ଅନ୍ନ ପ୍ରସ୍ତୁତ ଭୋଜନ

କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ) ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ)ର କର୍ମଚାରୀଙ୍କୁ ଶ୍ରୀ ଅନ୍ନ (ମିଲେଟ୍ସ)ରେ ପ୍ରସ୍ତୁତ ଭୋଜନ ପରିବେଷଣ କରାଯିବ । ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ-୨୦୨୩ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି । କେନ୍ଦ୍ର ସ୍ୱରାଷ୍ଟ୍ର  ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଆହ୍ୱାନକ୍ରମେ ସବୁ ବାହିନୀ ସହିତ ବିସ୍ତୃତ ଆଲୋଚନା ପରେ ଭୋଜନରେ ୩୦% ମିଲେଟ୍ସ  ଉପଯୋଗ କରିବା ଲାଗି ଏହି ନିଷ୍ପତ୍ତି ନିଆଯାଇଛି । ମିଲେଟ୍ସର ଗୁରୁତ୍ୱକୁ ବିବେଚନା କରିବା ସହିତ ଘରୋଇ ଓ ବିଶ୍ୱସ୍ତରରେ ଚାହିଦା ସୃଷ୍ଟି ଏବଂ ଲୋକମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ପ୍ରସ୍ତାବକ୍ରମେ ମିଳିତ ଜାତିସଂଘ ୨୦୨୩ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ ଭାବେ ଘୋଷଣା କରିଛି । ଶ୍ରୀ ଅନ୍ନକୁ ପ୍ରୋତ୍ସାହନ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଯାନ ଦେଶର କୋଟି କୋଟି ଲୋକଙ୍କ ପୋଷଣ ଆବଶ୍ୟକତା ପୂରଣ କରିବ । ମିଲେଟ୍ସ ବା ମାଣ୍ଡିଆ, ବାଜରା ଜାତୀୟ ଶସ୍ୟ ସ୍ୱାସ୍ଥ୍ୟ ପାଇଁ ଭଲ ଏବଂ ଚାଷୀଙ୍କ ପାଇଁ ଲାଭଜନକ। ଏହା ମଧ୍ୟ ପରିବେଶ ଅନୁକୂଳ।  ମିଲେଟ୍ସରେ ପ୍ରଚୁର ପରିମାଣରେ ଶକ୍ତି ଉତ୍ସ ରହିଛି। ଏହା ମରୁଡ଼ି ନିରୋଧୀ ଏବଂ ଚାଷ ପାଇଁ କମ ପାଣି ଆବଶ୍ୟକ କରିଥାଏ। ଶୁଖିଲା ମାଟି, ପାହାଡ଼ିଆ ଅଞ୍ଚଳରେ ଏହାକୁ ସହଜରେ ଚାଷ କରାଯାଇ ପାରିବ ଏବଂ ଏଥିରେ କୀଟ ଆକ୍ରମଣ କରିବାର ଆଶଙ୍କା ମଧ୍ୟ କମ ରହିଥାଏ। ମିଲେଟ୍ସର କେତେକ ଗୁରୁତ୍ୱପୂର୍ଣ୍ଣ ଲାଭ ହେଉଛି – ଏହା ଉଚ୍ଚ ପ୍ରୋଟିନଯୁକ୍ତ, ଗ୍ଲୁଟେନ-ମୁକ୍ତ, ଗ୍ଲାଇସେମିକ ସୂଚକାଙ୍କ (ଜିଆଇ)ରେ କମ୍ ଏବଂ ଫାଇବର ଆହାରରେ ସମୃଦ୍ଧ । ଏଥିରେ କ୍ୟାଲସିୟମ, ଆଇରନ, ଫସଫଟସ ଆଦି ଜରୁରି ସୂକ୍ଷ୍ମ ପୋଷକ ତତ୍ତ୍ୱ ବା ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍ ରହିଛି, ଯାହାକି ଯବାନମାନଙ୍କ ପୋଷଣ ସମ୍ବନ୍ଧୀୟ ପ୍ରୋଫାଇଲକୁ ମଜବୁତ କରିବ ।