ଆଳିରେ ଡ଼ଙ୍ଗା ବୁଡ଼ି ଘଟଣାରେ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆଳି: ଭାରସାମ୍ୟ ହରାଇ ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ିଯିବା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ କ୍ଷତିପୂରଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।  ସକାଳେ କେନ୍ଦ୍ରାପଡ଼ା ଜିଲ୍ଲା ଏକମାଣିଆ ପଞ୍ଚାୟତରେ  ନୌକା ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁବରଣ କରିଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ପ୍ରକାଶ କରିବା ସହ ମୃତବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି।  ସନ୍ଧ୍ୟା ସୁଦ୍ଧା ଏହି ଅର୍ଥ ତାଙ୍କ ପରିବାରକୁ ଦେବା ପାଇଁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଡଙ୍ଗା ଏକମାଣିଆ ପଞ୍ଚାୟତରୁ ରାଜନଗର କେରଡାଗଡ଼କୁ ଯାଉଥିଲା। ମାତ୍ର ଡଙ୍ଗାଟି କୂଳରୁ କିଛି ବାଟ ଯିବା ପରେ ହଠାତ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସେହି ଡଙ୍ଗାରେ ୩୦ ଜଣ ଯାତ୍ରୀ ଥିଲେ। ଗ୍ରାମବାସୀ ସଙ୍ଗେ ସଙ୍ଗେ ଡଙ୍ଗାରେ ଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିବା ବେଳେ ଜଣେ ନାବାଳକଙ୍କ ସମେତ ୨ ଜଣଙ୍କ ପତ୍ତା ମିଳୁନଥିଲା। ତେବେ ଏହି ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଥିଲା ।