ରାଜସ୍ଥାନକୁ ୭ ରନ୍‌ରେ ହରାଇଲା ବାଙ୍ଗାଲୋର

ବାଙ୍ଗାଲୋର: ଏକ ରୋମାଂଚକର ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୭ ରନ୍‌ରେ ପରାସ୍ତ କରିଛି।  ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଦ୍ବିତୀୟ ପାଳି ଖେଳିଥିବା ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୧୮୨ ରନ୍‌ରେ ଅଟକି ଯାଇଛି। ଦୁଇ ଦଳ ମଧ୍ୟରେ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା । ରାଜସ୍ଥାନ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ବିରାଟ କୋହଲିଙ୍କ ବାଙ୍ଗାଲୋର ଟିମ୍‌ ଗ୍ଲେନ ମେକ୍ସୱେଲ ଓ ଫାପ୍‌ ଡୁ ପ୍ଲେସିସଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୯ଟି ୱିକେଟ୍‌ ହରାଇ ୧୮୯ ରନ୍‌ ସଂଗ୍ରହ କରିଥିଲା।  ପ୍ରଥମ ବଲ୍‌ରେ ବିରାଟ କୋହଲି ଆଉଟ୍‌ ହୋଇ ପାଭଲିଅନକୁ ଫେରି ଯାଇଥିଲେ। ଡୁପ୍ଲେସିସି ୪୪ଟି ବଲ୍‌ ଖେଳି ୬ଟି ଚୌକା ଓ ୪ଟି ଛକା ସହାୟତାରେ ୭୭ ରନ୍‌ ସଂଗ୍ରହ କରିଥିଲେ।

ରାଜସ୍ଥାନ ପାଇଁ ବ୍ୟକ୍ତିଗତ ଭାବେ ସର୍ବାଧିକ ସ୍କୋର କରିଥିଲେ ଦେବଦୂତ ପଡ୍ଡୀକଲ। ସେ ୩୪ଟି ବଲ୍‌ ଖେଳି ୫୨ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୭ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଯଶସ୍ବୀ ଜୟସ୍ବାଲ ୩୭ଟି ବଲ୍‌ ଖେଳି ୫ଟି ଚୌକା ଓ ୨ଟି ଛକା ବଳରେ ୪୭ ରନ୍‌ କରିଥିଲେ। ଧ୍ରୁବ ଜୁର୍ଲେ ୩୪ ରନ୍‌, ରବିଚନ୍ଦ୍ରନ ଅଶ୍ବିନ ୧୨ ରନ୍‌ କରିଥିଲେ।