୫-ଟି କ’ଣ? : ଜୟନାରାୟଣ

ଗତ କିଛି ଦିନ ଧରି ରାଜ୍ୟ ସରକାରଙ୍କୁ ଘେରିବାରେ ଲାଗିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ନବ ଦାସଙ୍କ ହତ୍ୟା ପରେ ସରକାରଙ୍କ ଆଭିମୁଖ୍ୟକୁ ନେଇ ତାଙ୍କର ବକ୍ତବ୍ୟ ରାଜ୍ୟ ସରକାରଙ୍କୁ ଅସୁବିଧାରେ ପକାଉଛି । ମୁଖ୍ୟମନ୍ତ୍ରୀ ଏବଂ ଫାଇଭ ଟି ସଚିବଙ୍କୁ ଏଥର ଟାର୍ଗେଟ କରିଛନ୍ତି ଜୟନାରାୟଣ ।ବିଧାନସଭାରେ  ବିରୋଧୀ ଦଳ ନେତା ଜୟନାରାୟଣ ଏହି ପ୍ରସଙ୍ଗ ଉଠାଇ କହିଲେ ଯେ ୫-ଟି ମାନେ ଟିମ୍‌ ୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି, ଟ୍ରାନ୍ସଫର୍ମେସନ୍ ଓ ଟାଇମ୍‌ ଲିମିଟ୍‌। ଏଗୁଡ଼ା ତ ପ୍ରତ୍ୟେକ ବିଭାଗ ପାଇଁ ଆବଶ୍ୟକ। ପ୍ରଶାସନରେ ଏମିତି ପଦବି କେଉଁଠି ଅଛି, ତାହା ଆମେ ଜାଣିପାରୁନୁ। ସବୁ ବିଭାଗକୁ ଠିକ୍ ଭାବେ ଚଳାଇବା ପାଇଁ ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିସନର୍‌ ଅଛନ୍ତି। ପୁଣି ଜଣେ ଲୋକଙ୍କୁ ଆଣି ତାଙ୍କ ଉପରେ ରଖିବାକୁ ସରକାର ଚାହୁଁଛନ୍ତି କି? ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିସନର୍‌ଙ୍କ କ୍ଷମତା ସଙ୍କୁଚିତ ପାଇଁ ଏହି ବ୍ୟବସ୍ଥା କି? ଯଦି ଏଇଟା ଏକ ବିଭାଗ, ତେବେ ଏହି ବିଭାଗର ପ୍ରଶ୍ନୋତ୍ତର ପାଇଁ ବିଧାନସଭାରେ ବ୍ୟବସ୍ଥା କରାଯାଉ। ଆମେ ଏହି ବିଭାଗ ଉପରେ ପ୍ରଶ୍ନ କରିବୁ। ବାଚସ୍ପତି ଏ ଦିଗରେ ପଦକ୍ଷେପ ନିଅନ୍ତୁ।୫-ଟି କ’ଣ ବୁଝାପଡ଼ୁନି। ଏଇଟା ବିଭାଗ କି ନୁହେଁ? ଯଦି ବିଭାଗ, ତେବେ ତାହାର ଅଫିସ୍‌ କେଉଁଠି? ଲୋକସେବା ଭବନ ନା ଖାରବେଳ ଭବନ ନା ରାଜୀବ ଭବନ? ସେହି ବିଭାଗର କର୍ମଚାରୀମାନେ କେଉଁଠି ବସୁଛନ୍ତି? ସୋମବାର ବିଧାନସଭାରେ ଏମିତି ପ୍ରଶ୍ନ କରିବାକୁ ନେଇ ହରଡ଼ ଘଣାରେ ପଡିଛନ୍ତି ସରକାର । ତେବେ ବିଜେଡି ଏହାର ଜବାବ ଦେଇ କହିଛି ବିରୋଧୀ ଦଳର ନେତାଙ୍କ ପାଖରେ କିଛି ପ୍ରଶ୍ନ ନଥିବାରୁ ଏମିତି ନିରର୍ଥକ ପ୍ରଶ୍ନ କରିବାରେ ଲାଗିଛନ୍ତି ।