ସ୍ତ୍ରୀଙ୍କ ବାପଘରକୁ ଯାଇ ସ୍ବାମୀ ମାଡ କଲେ ଏସିଡ୍, ମେଡିକାଲରେ ଚାଲିଛି ଚିକିତ୍ସା

ବାଲେଶ୍ବର: ଶ୍ବଶୂର ଘରେ ପଶି ପତ୍ନୀଙ୍କୁ ଏସିଡ୍‌ ମାଡ଼ କଲା ସ୍ୱାମୀ । ଏସିଡ ମାଡ଼ରେ ୪ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସହଦେବଖୁଣ୍ଟା ଥାନା ଭୀମପୁର ଗାଁର କାର୍ତ୍ତିକ ସିଂଙ୍କର ଦୁଇ ଝିଅ ଅଛନ୍ତି। କାର୍ତ୍ତିକଙ୍କ ସାନ ଝିଅ ବନିତା ସିଂ ଦେଢ଼ ମାସ ତଳେ ନୀଳଗିରି ନୟାପାଟଣାର ଚନ୍ଦନ କୁମାର ରଣାଙ୍କୁ ବିବାହ କରିଥିଲେ। ବିବାହ ପରେ ବନିତା ଜାଣିବାକୁ ପାଇଲେ ତାଙ୍କ ସ୍ୱାମୀ ଚନ୍ଦନ ଆଉ ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଛନ୍ତି। ସେଥିପାଇଁ ତାଙ୍କୁ ବୁଝାଇ ଥିଲେ। ମାତ୍ର ସେ ବୁଝିବା ଅବସ୍ଥାରେ ନଥିଲେ। ତେଣୁ କିଛି ଉପାୟ ନପାଇ ବନିତା ବାପ ଘରକୁ ପଳାଇ ଯାଇଥିଲେ। ତେବେ ତାଙ୍କ ସ୍ବାମୀ ଚନ୍ଦନ ଶ୍ୱଶୂର ଘରକୁ ଆସି  ବନିତାଙ୍କୁ ଗାଳି କରିବା ସହ ଉତ୍‌କ୍ଷିପ୍ତ ହୋଇ ବନିତାଙ୍କ ଉପରକୁ  ଏସିଡ୍‌ ଫିଙ୍ଗି ଦେଇଥିଲେ ।  ବନିତାଙ୍କ ଚିତ୍କାର ଶୁଣି ତାଙ୍କ ବଡ଼ଭଉଣୀ ବର୍ଷା ଓ ତାଙ୍କ(ବର୍ଷାଙ୍କ) ଦୁଇ ପିଲା ଧାଇଁ ଆସିଥିଲେ। ସେମାନେ ମଧ୍ୟ ଏସିଡ ମାଡ଼ରେ ଗୁରୁତର ଆହତ ହୋଇଛି।  ଏସିଡ ମାଡ଼ କରି ଅଭିଯୁକ୍ତ କେଉଁଆଡେ ଫେରାର ହୋଇଯାଇଛି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।